ପୁରୀ : ସମୁଦ୍ରରେ ବୁଡିଲା ବୋଟ୍

34

କନକ ବ୍ୟୁରୋ : ପୁରୀ ସମୁଦ୍ରରେ ବୁଡିଗଲା ବୋଟ୍ । ଆଜି ଦିନ ପ୍ରାୟ ଗୋଟାଏ ବେଳେ ବାଥିଂ ଜୋନରେ ବୁଡି ଯାଇଥିଲା ଏକ ବାନାନା ବୋଟ୍ । ପୁରୀ ସମୁଦ୍ରକୂଳରୁ କିଛି ପର୍ଯ୍ୟଟକଙ୍କୁ ୱାଟର ବୋଟର ମଜା ଦେବା ପାଇଁ, ପ୍ରାୟ ୫ଶହ ମିଟର ଭିତରକୁ ଯିବା ପରେ ବୁଡି ଯାଇଥିଲା ଏହି ବାନାନା ବୋଟ୍ । ତତକ୍ଷଣାତ ଆଉ ଏକ ଉଦ୍ଧାରକାରୀ ବୋଟ ସେମାନଙ୍କ ନିକଟରେ ପହଂଚି ଉଦ୍ଧାର କରିଥିଲା ।

କିଛି ପର୍ଯ୍ୟଟକ ଲାଇଫ ଜାକେଟ ପିନ୍ଧିଥିବାବେଳେ ଆଉକିଛି ପିନ୍ଧିନଥିଲେ । ତେବେ ଲାଇଫ ଜାକେଟ ପିନ୍ଧି ଜଣେ ପର୍ଯ୍ୟଟକ ବେଶ କିଛି ସମୟ ସମୁଦ୍ର ଲହଡି ସାଙ୍ଗରେ ସଂଘର୍ଷ କରିଥିଲେ । ଗତକାଲି ମଧ୍ୟ ସମୁଦ୍ର ଭିତରେ ଏମିତି ଏକ ବନାନା ବୋଟ ଓଲଟି ପଡିଥିଲା । ବାରମ୍ବାର ଏଭଳି ପର୍ଯ୍ୟଟଙ୍କୁ ନେଇ ବିପଦପୂର୍ଣ୍ଣ ଯାତ୍ରା କରାଯାଉଥିବା ଅଭିଯୋଗ କରିଛନ୍ତି ଲାଇଫଗାର୍ଡ ।

କେବଳ ସେତିକି ନୁହେଁ, ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉ ନଥିବା ଅଭିଯୋଗ ମଧ୍ୟ ହୋଇଛି । ସବୁଠାରୁ ବଡକଥା ହେଲା ପାନ୍ଥନିବାସ ଅଂଚଳରେ ୱାଟର ସ୍ପୋର୍ଟ୍ସ ପାଇଁ ଅନୁମତି ମିଳିଥିବାବେଳେ କିଛି ସଂସ୍ଥା ବିପଦପୂର୍ଣ୍ଣ ଭାବେ ପର୍ଯ୍ୟଟକଙ୍କୁ ବାଥିଂ ଜୋନକୁ ନେଇଯାଉଥିବା ଅଭିଯୋଗ ବି ହୋଇଛି । ପୂର୍ବରୁ ରାମଚଣ୍ଡିଠାରେ ଏଭଳି ଏକ ବନାନା ବୋଟ ବୁଡିଯିବା ଫଳରେ କେତେକ ମହିଳା ପର୍ଯ୍ୟଟଙ୍କ ମୃତ୍ୟୁ ମଧ୍ୟ ହୋଇଛି ।