ଓଏଏସ ପାଇଲେ ପାନ ଚାଷୀଙ୍କ ପୁଅ: ବିନା କୌଣସି କୋଚିଂରେ କେବଳ ଇଂଟରନେଟ ଦେଖି ଦଶମ ସ୍ଥାନରେ କାକଟପୁରର ସେଖ୍ ସାଗିର

ପୁଅର ସଫଳତା ପରେ ପରିବାରରେ ଖୁସିର ମାହୋଲ

747

କନକ ବ୍ୟୁରୋ: ପାନ ଚାଷୀଙ୍କ ପୁଅ ଓଏଏସରେ ଦଶମ ସ୍ଥାନ ଅଧିକାର କରିଛନ୍ତି । ପୁରୀ ଜିଲ୍ଲା କାକଟପୁର ନିକଟସ୍ଥ କଟକଣା ଗାଁର ସେଖ୍ ସାଗିର ଓଡ଼ିଶା ପ୍ରଶାସନିକ ସେବାରେ ୧୦ସ୍ଥାନ ଦଖଲ କରିଛନ୍ତି । ସାଗରଙ୍କ ବାପା ସେଖ୍ ଜହୁର ଜଣେ ପାନ ବରଜ ଚାଷୀ । ପାନ ଚାଷ କରି ସେ ପରିବାର ଚଳାଉଥିବା ବେଳେ ପୁଅର ଏହି ସଫଳତାରେ ଏବେ ପରିବାରରେ ଖୁସି ଖେଳିଯାଇଛି ।

ତେବେ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ କୌଣସି ପ୍ରକାରର କୋଚିଂ ନେଇନଥିଲେ ଘରେ ରହି ପାଠପଢା କରିବା ବେଳେ ଇଂଟରନେଟର ସହାୟତା ନେଉଥିଲେ । ଏବେ ଓଏଏସରେ ସେ ୧୦ସ୍ଥାନ ରଖିଥିବା ବେଳେ ଭାରତୀୟ ପ୍ରଶାସିନକ ସେବା ବା ଆଇଏଏସରେ ଉତିର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସେଖ୍ ସାଗିର ।

ସୂଚନାଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗର ଓପିଏସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍ ୧୦୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାଟେଗୋରି ୧ ଓ ୨ ସେବା ପାଇଁ ଏମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆୟୂଷୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ସଂଜିତା ମହାପାତ୍ର ଦ୍ୱିତୀୟ ସ୍ଥାନରେ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ତେବେ ଓଡ଼ିଶା ପ୍ରଶାସନିକ ସେବାରେ ୧୦ସ୍ଥାନ ଦଖଲ କରିଛନ୍ତି ପୁରୀ ଜିଲ୍ଲା କାକଟପୁର ନିକଟସ୍ଥ କଟକଣା ଗାଁର ସେଖ୍ ସାଗିର ।