ଭାରତରେ ସାଂଘାତିକ ରୂପ ନେଇଛି ବାୟୁ ପ୍ରଦୂଷଣ ! ୮୦ ପ୍ରତିଶତ ସହରରେ ଧାର୍ଯ୍ୟ ମାନଠାରୁ ଅଧିକ ପ୍ରଦୂଷକ କଣିକା

238

କନକ ବ୍ୟୁରୋ : ଭାରତରେ ସମ୍ପ୍ରତି ଦେଖାଦେଇଥିବା ବାୟୁ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ, ସାଂଘାତିକ ଭାବେ ବିପଦଜ୍ଜନକ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି । ପ୍ରତିକାର ସ୍ୱରୂପ କୌଣସି ଠୋସ୍‌ ପଦକ୍ଷେପ ନନେଲେ ଏହା ବିଭୀଷିକାମୟ ପରିସ୍ଥିତି ସୃଷ୍ଟି କରିବ । ଗ୍ରିନପିସ୍‌ ଇଣ୍ଡିଆ ଓ କ୍ଲିନ୍‌ ଏୟାର ନେସନ୍‌ ଦ୍ୱାରା ପ୍ରକାଶିତ ‘ବାୟୁ ପ୍ରଦୂଷଣର ବିଭୀଷିକା’ ଶୀର୍ଷକ ରିପୋର୍ଟରେ ଏପରି ଚେତାବନୀ ଦିଆଯାଇଛି । ଦେଶର ୨୮୦ଟି ସହରକୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରେ ପ୍ରତି ୧୦ଟି ସହର ମଧ୍ୟରୁ ୮ଟିରେ ଏଭଳି ସ୍ଥିତି ଦେଖାଯାଇଛି ବୋଲି ସତର୍କ କରାଇଦିଆଯାଇଛି । ରାଜ୍ୟର ସ୍ଥିତିକୁ ଦେଖିଲେ ରାଜଗାଙ୍ଗପୁର ସବୁଠୁ ପ୍ରଦୂଷିତ ବୋଲି ଜଣାଯାଇଛି ।

ରିପୋର୍ଟ ଅନୁସାରେ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଜାତୀୟ ବାର୍ଷିକ ବାୟୁ ଗୁଣାତ୍ମକ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା । ମାତ୍ର ଦେଶର ୮୦ ପ୍ରତିଶତ ସହରର ବାୟୁମଣ୍ଡଳରେ ଏହାଠାରୁ ଅଧିକ ମାତ୍ରାରେ କଣିକା ରହିଛି । ଅପରପକ୍ଷେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ଗୁଣାତ୍ମକ ମାନ ଘନମିଟର ପିଛା ୨୦ ମାଇକ୍ରୋଗ୍ରାମ କଣିକା ପୂରଣ କରିବାରେ ଦେଶର ଗୋଟିଏ ବି ସହର ଯୋଗ୍ୟ ହୋଇପାରିନାହିଁ ।

ସୂଚନା ଥାଉ କି, ଅନ୍ତର୍ଜାତୀୟ ସ୍ତରରେ ୨୦୧୧ ମସିହା ଠାରୁ ଭାରତର ବାୟୁ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଇଲାଗିିଛି । ତେବେ ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ଦେଶର ୬୩ କୋଟି ସହରୀ ଲୋକଙ୍କୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୫ କୋଟି ଲୋକ ବାୟୁ ପ୍ରଦୂଷଣର ନିର୍ଦ୍ଧାରିତ ପିଏମ୍‌୧୦ ମାନକ ଠାରୁ ଅଧିକ ପ୍ରଦୂଷିତ ଇଲାକାରେ ରହୁଥିବା ବେଳେ ୧୮ କୋଟି ଲୋକ ନିର୍ଦ୍ଧାରିତ ମାନକର ଦୁଇଗୁଣ ଅଧିକ ପ୍ରଦୂଷିତ ଇଲାକାରେ ବସବାସ କରୁଛନ୍ତି। ଆନ୍ଧ୍ରପ୍ରଦେଶର କୁର୍ନୁଲ ଓ ତିରୁପତି (ଜୁନରୁ ସେପ୍ଟମ୍ବର ମଧ୍ୟରେ) ବ୍ୟତୀତ ଅନ୍ୟ ସମସ୍ତ ସହରର ବାୟୁ ପ୍ରଦୂଷଣ ବାର୍ଷିକ ୬୦ ମାଇକ୍ରୋଗ୍ରାମ/ଘନ ମିଟର ରହିଛି । ଆସାମର ନାଓଗାଁରେ ସର୍ବାଧିକ ପ୍ରଦୂଷଣ ବାର୍ଷିକ ୧୪୨ ମାଇକ୍ରୋଗ୍ରାମ/ଘନ ମିଟର ରହିଛି । କର୍ଣ୍ଣାଟକରେ ସର୍ବାଧିକ ୧୮ଟି ସହର ଏବଂ ତାମିଲନାଡ଼ୁରେ ସର୍ବନିମ୍ନ ୮ଟି ସହର ପ୍ରଦୂଷିତ ଥିବା ଜଣାଯାଇଛି । ଅପରପକ୍ଷେ, ପୁଡୁଚେରି, ମିଜୋରାମ ଓ କେରଳରେ ବାୟୁ ପ୍ରଦୂଷଣର ମାତ୍ରା ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ଆପାତତଃ ଭଲ ଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକ ଠାରୁ କମ୍‌ ରହିଛି ।

ସେହିପରି ଓଡ଼ିଶାର ୩୪ଟି ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ରରୁ ୨୦୧୬-୧୭ରେ ସଂଗୃହୀତ ତଥ୍ୟାନୁସାରେ, ଅନଗୁଳ, ବାଲେଶ୍ୱର, ବ୍ରହ୍ମପୁର, କଟକ, ଭୁବନେଶ୍ୱର, ପୁରୀ, କଳିଙ୍ଗନଗର, କେନ୍ଦୁଝର, ପାରାଦ୍ୱୀପ, କୋଣାର୍କ, ରାୟଗଡ଼ା, ତାଳଚେର, ସମ୍ବଲପୁର, ରାଉରକେଲା, ରାଜଗାଙ୍ଗପୁର ଓ ଝାରସୁଗୁଡ଼ା ସହରରେ ବାର୍ଷିକ ବାୟୁ ପ୍ରଦୂଷଣ ୧୦୦ ମାଇକ୍ରୋଗ୍ରାମ/ଘନ ମିଟର ଠାରୁ ଅଧିକ ରହିଛି । ୨୦୧୫ ଠାରୁ ୨୦୧୬ରେ ଭୁବନେଶ୍ୱର, କଳିଙ୍ଗନଗର, ପୁରୀ ଓ କୋଣାର୍କରେ ବାୟୁ ପ୍ରଦୂଷଣ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଅନଗୁଳ, ରାଉରକେଲା ଓ ତାଳଚେରରେ ସାମାନ୍ୟ ହ୍ରାସ ପାଇଥିଲା । ରାଜଗାଙ୍ଗପୁର ସବୁଠାରୁ ବାର୍ଷିକ ମାତ୍ରାରେ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ କୋଣାର୍କ ୨୦୧୬ ମସିହାରେ ମାସିକ ମାତ୍ରାରେ ସର୍ବାଧିକ ପ୍ରଦୂଷିତ ଥିଲା । ଏହି ସମୟରେ କୋଣାର୍କର ବାୟୁ ପ୍ରଦୂଷଣ ମାତ୍ରା ୧୯୧ ମାଇକ୍ରୋଗ୍ରାମ/ଘନମିଟର ରହିଥିଲା । କଳିଙ୍ଗନଗରରେ ୧୧୩ ମାଇକ୍ରୋଗ୍ରାମ/ଘନମିଟର ଥିବା ବେଳେ ପାରାଦ୍ୱୀପ(୧୦୯), ତାଳଚେର(୧୦୫), ଭୁବନେଶ୍ୱର(୧୦୧) ଓ ପୁରୀ(୯୪) ବାର୍ଷିକ ପ୍ରଦୂଷିତ ସହର ତାଲିକାର ନିମ୍ନଆଡ଼କୁ ରହିଛନ୍ତି ।