ପଂଜାବ ରାଜନୀତିରେ ହଟଚମଟ ! ବିଜେପିର ହାତଛାଡି କଂଗ୍ରେସର ଶରଣ ନେଇଥିବା ସିଦ୍ଧୁଙ୍କ ସହ ବଢିଲା ସରକାରଙ୍କ ତିକ୍ତତା

41

କନକ ବ୍ୟୁରୋ : ପଂଜାବ ରାଜନୀତିରେ ହଟଚମଟ । ବିଜେପିର ହାତଛାଡି କଂଗ୍ରେସ କ୍ୟାମ୍ପର ଶରଣ ନେଇଥିବା ନବଜୋତ ସିଂ ସିଦ୍ଧୁଙ୍କ ସହ ପଞ୍ଜାବ ସରକାରଙ୍କ ବଢିଲା ତିକ୍ତତା । କାରଣ ୩୦ ବର୍ଷ ତଳର ଏକ ସଡକ ଦୁର୍ଘଟଣା ମାମଲାରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରିଥିବା ତଳ କୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ବିରୋଧ କରିଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାର । ତେବେ ଏହି ପ୍ରସଙ୍ଗରେ ଅନ୍ୟ ବାଟ ନଥିଲା ବୋଲି ସଫେଇ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।

ତେବେ ସିଦ୍ଧୁଙ୍କ ସମାଜ କଲ୍ୟାଣ ମୂଳକ କାମକୁ ଦେଖି କୋର୍ଟ ଉଚିତ ନିଷ୍ପତି ନେବେ ବୋଲି ସେ ଆଶା ରଖିଥିବା କହିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ହେଲେ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି ନବଜୋତ ସିଂ ସିଦ୍ଧୁ । ଗତକାଲି ହାଇଦ୍ରାବାଦରେ ସେ କହିଥିଲେ ଯେ, କ୍ୟାପଟେନ ଅମରିନ୍ଦର ସିଂ ସ୍ପଷ୍ଟ କରିବା ଦରକାର ତାଙ୍କ ବିରୋଧରେ ସରକାର କାହିଁକି ସୁପ୍ରିମକୋର୍ଟରେ ପକ୍ଷ ରଖିଲେ । ନବଜୋତ ସିଂ ସିଦ୍ଧୁ ପଞ୍ଜାବ ସରକାରରେ ମନ୍ତ୍ରୀ ଅଛନ୍ତି । ଏବଂ ସାରା ଦେଶରେ ମୋଦି ହାୱା ସତ୍ୱେ ବିଜେପି ଶିବିର ଛାଡି ପଞ୍ଜାବରେ କଂଗ୍ରେସକୁ ଜିତାଇବାରେ ସିଦ୍ଧୁଙ୍କ ପ୍ରମୁଖ ଭୂମିକା ରହିଥିବା କୁହାଯାଏ ।