ଆଜିଠୁ ଆରମ୍ଭ ହେଲା ବିଧାନସଭା ପାଇଁ ମତଦାନ : ପଂଜାବରେ ୧୧୭ ଓ ଗୋଆରେ ୪୦ସିଟ୍ ପାଇଁ ଚାଲିଛି ଭୋଟ୍ ଗ୍ରହଣ

20

କନକ ବ୍ୟୁରୋ : ଆଜିି ଗୋଆ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟିଂ । ଗୋଆର ୪୦ଟି ଆସନ ପାଇଁ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି ୨୫୦ ଜଣ ପ୍ରାର୍ଥୀ । ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ କରିବାକୁ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସଂଧ୍ୟା ୬ଟାରେ ଭୋଟ୍ ଗ୍ରହଣ ଶେଷ ହେବ ।

ପାଣାଜୀରେ ମତଦାନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ପୂର୍ବତନ ମନ୍ତ୍ରୀ ମନୋହର ପାରିକର । ୨୦୧୨ ବିଧାନସଭା ନିର୍ବାଚନରେ ୮୪ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ୮୫ ପ୍ରତିଶତରୁ ଅଧିକ ମତଦାନ ହେବାର ସଂଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାରିକର । ଏହା ସହ ବିଜେପି ଦୁଇ ତୃତୀୟାଂଶ ଆସନରେ ବିଜୟ ଲାଭ କରିବ ବୋଲି ମଧ୍ୟ କହିଛନ୍ତି ପାରିକର ।

ସେହିପରି ଆଜିି ପଂଜାବରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେଉଛି । ସକାଳ ୭ଟାରୁ ମତଦାନ କେନ୍ଦ୍ର ଗୁଡିକରେ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ଆସି ଭୋଟ୍ ଦେଉଛନ୍ତି ଲୋକେ । ପ୍ରଥମ ଥର ପାଇଁ ପଂଜାବ ବିଧାନସଭା ନିର୍ବାଚନରେ ଇଭିଏମ ମେସିନ ବ୍ୟବହାର କରାଯାଉଛି । ଏଥର ନିର୍ବାଚନ ମୈଦାନରେ ୧୧୪୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଶାନ୍ତି ଶୃଙ୍ଖଳାରେ ମତଦାନ ପ୍ରକ୍ରିୟା ଶେଷ କରିବା ପାଇଁ ରାଜ୍ୟରେ ୨ ଶହ କଂପାନୀ ପାରାମିଲଟାରୀ ଫୋର୍ସ ନିୟୋଜିତ ହୋଇଛନ୍ତି । ଭୋଟ ଗ୍ରହଣ ପାଇଁ ରାଜ୍ୟରେ ୨୨ହଜାର ୬୧୫ ପୋଲିଂ ଷ୍ଟେସନ କରାଯାଇଛି । ୮୩ ବିଧାନସଭା ଆସନ ସାଧାରଣ ବର୍ଗଙ୍କ ପାଇଁ ରହିଥିବା ବେଳେ ୩୪ ଆସନ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସଂରକ୍ଷିତ ରଖାଯାଇଛି । ଶିରୋମଣି ଅକାଳୀ ଦଳ ଓ ବିଜେପି ମେଂଟ ଭାବେ ନିର୍ବାଚନ ଲଢୁଛନ୍ତି । ପଂଜାବରେ ନୂଆ କରି ବିଧାନସଭା ନିର୍ବାଚନ ଲଢୁଥିବା ଆମ ଆଦମୀ ପାର୍ଟି ବିଜେପି ମେଂଟକୁ କଡ୍ଡା ଟକ୍କର ଦେଉଛି ।