ପଞ୍ଜାବ ଆକାଶ ଉପରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ : ଫିରୋଜପୁର ସୀମାରେ ଅନୁପ୍ରବେଶ ପରେ ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର କାମରେ ପୋଲିସ ଓ ବିଏସଏଫ

222

କନକ ବ୍ୟୁରୋ : ସୁଧୁରିବନି ପାକିସ୍ତାନ । ସର୍ବଦା ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ଥିଲା ପାକ୍ ପୁଣି ଡ୍ରୋନ୍ ପଠାଇଲା । କଡ଼ା ସୁରକ୍ଷା ସତ୍ୱେ ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ୍ । ପଞ୍ଜାବ ଆକାଶରେ ଉଡିଲା ପାକିସ୍ତାନ ଡ୍ରୋନ । ପଞ୍ଜାବ ଫିରୋଜପୁରରେ ପୁଣି ଦେଖିବାକୁ ମିଳିଲା ପାକିସ୍ତାନୀ ଡ୍ରୋନ୍ । ପଞ୍ଜାବର ଝୁଂଞ୍ଝାରା ହଜାରା ସିଂହବାଲାର ସୀମାବର୍ତ୍ତୀ ଗାଁରେ ଆଜି ସକାଳେ ଦୁଇଟି ପାକିିିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉଡିବାବେଳେ ଏହି ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଏସଏଫ ଓ ପଞ୍ଜାବ ପୋଲିସ ଡ୍ରୋନକୁ ଖୋଜିବାରେ ଲାଗିଛନ୍ତି । ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ଡ୍ରୋନ ବାରମ୍ବାର ଭାରତ ସୀମାକୁ ପଶିଆସୁଥିବା ଦେଖାଯାଇଛି ।

ସୋମବାର ରାତିରେ ପଞ୍ଜାବର ହୋସିନବାଲା ସେକ୍ଟରରେ ପାକିସ୍ତାନ ଡ୍ରୋନ ଭାରତ ସୀମାକୁ ପଶିଆସିଥିଲା । ଖବର ଅନୁସାରେ, ଡ୍ରୋନ ସୀମା ପଶିଆସିବାର କିଛି ସମୟ ପରେ ପୁଣି ପାକିସ୍ତାନ ଚାଲିଯାଇଥିଲା । ପୋଲିସର ଦାବି ଅନୁସାରେ, ଡ୍ରୋନ ଭାରତର ସୀମାରେ କିଛି ବସ୍ତୁ ପକାଇବାକୁ ଚାହିଁଥିଲା , କିନ୍ତୁ ଏଥିରେ ସଫଳ ହୋଇନଥିଲା । ମଙ୍ଗଳବାର ବି ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିଥିବା ଖବର ବିଏସଏଫ ଦେଇଥିଲା ।

ଗତମାସ ୨୫ ତାରିଖରେ ପଞ୍ଜାବର ତରନତାରନରେ ଏକ ନଷ୍ଟ ହୋଇଥିବା ଡ୍ରୋନକୁ ଜବତ କରିଥିଲା ପୋଲିସ । ଯାଂଚବେଳେ ଜଣାପଡିଥିଲା ଯେ, ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ଓ ଖଲିସ୍ତାନ ଲିବରେସନ ଫୋର୍ସ ଏହି ଡ୍ରୋନ ପଠାଇଥିଲା । ପାକିସ୍ତାନରୁ ଏହା ଆସିଥିଲା ।  ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡିକ ଡ୍ରୋନ୍ ମାଧ୍ୟମରେ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଚାଲାଣ କରୁଥିବା ସୂଚନା ରହିଛି । ସେପ୍ଟେମ୍ବର ୨୪ ତାରିଖରେ ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ଆତଙ୍କବାଦୀ ସଂଗଠନ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ର ପଠାଇ ଧରାପଡ଼ିଥିଲା । ଏହି ଘଟଣା ପରେ ପଞ୍ଜାବ ସୀମାରେ ହାଇଆଲର୍ଟ ଜାରି କରାଯାଇଥିଲା । ଡ୍ରୋନ୍ ସଂପର୍କରେ ବିଏସ୍ଏଫ୍ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଏବେ ଭାରତୀୟ ସୀମାରେ ପାକିସ୍ତାନ ଡ୍ରୋନ ବାରମ୍ବାର ପଠାଇବା ପରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ଆକାଶମାର୍ଗ ଉପରେ କଡା ନଜର ରଖାଯାଇଛି ।