ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ୍ : ବିଏସଏଫ୍ ଆଲର୍ଟ, ସର୍ଚ୍ଚ ଅପରେସନ୍ ଜାରି

504

କନକ ବ୍ୟୁରୋ : କଡ଼ା ସୁରକ୍ଷା ସତ୍ୱେ ଭାରତ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ୍ । ଭାରତ-ପାକ୍ ଅନ୍ତର୍ଜାତୀୟ ସୀମା ନିକଟରେ ଏହି ଡ୍ରୋନ୍ ଠାବ କରାଯିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏଚ୍.କେ ଟାୱାରସ୍ଥିତ ଭାରତୀୟ ଚେକ୍ ପୋଷ୍ଟ ନିକଟବର୍ତ୍ତୀ ହୁସେକ୍ ୱାଲା ନିକଟରେ ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଭାରତୀୟ ସୀମା ସୁରକ୍ଷାବଳର ଯବାନମାନେ ଏହି ଡ୍ରୋନକୁ ଠାବ କରିଥିଲେ । ଗତ କିଛି ଦିନ ମଧ୍ୟରେ  ପାକ ସୀମା ପଟୁ ଭାରତ ଭିତରକୁ ପ୍ରାୟ ୫ଥର ଡ୍ରୋନ୍ ପ୍ରବେଶ କରିବା ଘଟଣା ସାମ୍ନାକୁ ଆସିଛି ବୋଲି ବିଏସଏଫ୍ ପକ୍ଷରୁ ସୂଚନା ମିଳିଛି।

ମଙ୍ଗଳବାର ସକାଳ ୧୦ରୁ ୧୦.୪୦ ମଧ୍ୟରେ ପ୍ରଥମେ ପାକିସ୍ତାନୀ ସୀମା ଭିତରେ ଡ୍ରୋନଟି ଉଡିବା ଦେଖିବାକୁ ମିଳିଥିଲା । ଏହାପରେ ଉକ୍ତ ଡ୍ରୋନ୍ ମଧ୍ୟାହ୍ନ ୧୨.୨୫ ବେଳକୁ ଭାରତୀୟ ସୀମା ଭିତରକୁ ପଶି ଆସିଥିଲା । ଏହା ପରେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ସେମାନଙ୍କର ବରିଷ୍ଠ ଅଧିକାରୀଙ୍କୁ ଖବର ଦେଇଥିଲେ । ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡିକ ଡ୍ରୋନ୍ ମାଧ୍ୟମରେ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଚାଲାଣ କରୁଥିବା ସୂଚନା ରହିଛି । ସେପ୍ଟେମ୍ବର ୨୪ ତାରିଖରେ ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ଆତଙ୍କବାଦୀ ସଂଗଠନ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ର ପଠାଇ ଧରାପଡ଼ିଥିଲା ।

ଏହି ଘଟଣା ପରେ ପଞ୍ଜାବ ସୀମାରେ ହାଇଆଲର୍ଟ ଜାରି କରାଯାଇଥିଲା । ଡ୍ରୋନ୍ ସଂପର୍କରେ ବିଏସ୍ଏଫ୍ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ।