ନୟାଗଡ଼ ଟ୍ୟୁଟୋରିଆଲରେ ଛାତ୍ରଙ୍କୁ ଆଣ୍ଠେଇଦେବା ଘଟଣା ! ପାଠପଢ଼ାରେ ଦଣ୍ଡକୁ ସମର୍ଥନ କରି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

27

କନକ ବ୍ୟୁରୋ: ନୟାଗଡ ଟ୍ୟୁଟୋରିଆଲରେ ଛାତ୍ରଙ୍କୁ ଆଣ୍ଠେଇବା ଘଟଣା ଭିନ୍ନ ମୋଡ଼ ନେଇଛି । ପାଠପଢ଼ାରେ ଦଣ୍ଡକୁ ସମର୍ଥନ କରି ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଙ୍କୁ ଆଣ୍ଠେଇ ଦେଇଥିବା ଶିକ୍ଷକଙ୍କୁ ଗିରଫ କରାଯିବା ପରେ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ଶିକ୍ଷକଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ମଧ୍ୟ ଅପରାହ୍ନରେ ଅବରୋଧ କରିଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଛାତ୍ରଙ୍କୁ ଆଣ୍ଠେଇ ଦିଆଯାଇଥିଲା ସେହି ଛାତ୍ରମାନେ ଓ ସେମାନଙ୍କ ଅଭିଭାବକମାନେ ଶିକ୍ଷକଙ୍କ ଗିରଫକୁ ପ୍ରତିବାଦ କରି ରାସ୍ତାରୋକରେ ସାମିଲ ହୋଇଥିଲେ ।

ସୂଚନା ଅନୁଯାୟୀ ଗତ ଜୁଲାଇ ୨ତାରିଖରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ସ୍ଥିତ ଏକ ଘରୋଇ ଟୁଇଟୋରିଆଲରେ ପଢ଼ୁଥିବା ତିନି ଜଣ ଛାତ୍ର ବିଶୃଙ୍ଖଳା କରିଥିଲେ । ତିନି ଜଣ ଛାତ୍ର ପରସ୍ପର ଭିତରେ ମାଡ଼ଗୋଳ ହେବା ସହ ମୁଣ୍ଡ ଫଟାଫଟି ହୋଇଥିଲେ । ପରେ ଟୁଟୋରିଆଲର ମାଲିକ ତଥା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପରିଡା ଛାତ୍ରଙ୍କୁ ଦଣ୍ଡବିଧାନ ସ୍ୱରୂପ ଆଣ୍ଠେଇ ଦେଇଥିଲେ ।

ଛାତ୍ରଙ୍କୁ ଆଣ୍ଠେଇଦେବାର ଭିିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ କରାଯିବା ସହ ଶିକ୍ଷକଙ୍କ ଗିରଫ କରାଯିବା ସହ କୋର୍ଟଚାଲାଣ କରିଛି ପୁଲିସ୍ । କିନ୍ତୁ ଏହାକୁ ବିରୋଧ କରି ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଭେଟିବା ସହ ପରିଡା ଜଣେ ଭଲ ଶିକ୍ଷକ ବୋଲି ମତ ରଖିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –