ଜେଲ ନୁହେଁ କେବଳ ଜରିମାନା : ମାର୍ଚ୍ଚ ୩୧ ପରେ ୧୦ରୁ ଅଧିକ ଅଚଳ ନୋଟ୍ ରଖିଲେ ୧୦ ହଜାର ଜରିମାନା

21

କନକ ବ୍ୟୁରୋ : ଜେଲ ନୁହେଁ କେବଳ ଜରିମାନା । ପୁରୁଣା ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ରଖିଲେ ଜେଲ୍ ହେବ ନାହିଁ । ମାତ୍ର ୩୧ ମାର୍ଚ୍ଚ ପରେ ୧୦ଟିରୁ ଅଧିକ ୫ଶହ କିମ୍ବା ହଜାରେ ଟଙ୍କିଆ ନୋଟ୍ ରଖିଲେ ଜରିମାନା ହେବ । ଅତି କମରେ ଏହି ଜରିମାନାର ପରିମାଣ ୧୦ ହଜାର ଟଙ୍କା ହେବ ।

ବୁଧବାର ଏନେଇ କ୍ୟାବିନେଟର ମଂଜୁରୀ ମିଳିଥିବା ଅଧ୍ୟାଦେଶରେ ପରିବର୍ତନ ହୋଇଛି । ଏବଂ ଏଥିରେ ଯେଉଁ ୪ ବର୍ଷର ଜେଲ କଥା କୁହାଯାଉଥିଲା ତାକୁ ବାଦ୍ ଦିଆଯାଇଛି । ୩୧ ମାର୍ଚ୍ଚ ପରେ ଏହି ଅଚଳ ନୋଟ୍ ନିଜ ପାଖରେ ରଖିଲେ ତାକୁ ଅପରାଧ ଭାବରେ ଗ୍ରହଣ କରାଯିବ । ଏହି କ୍ଷେତ୍ରରେ ସର୍ବନିମ୍ନ ୧୦ ହଜାର ଟଙ୍କା ଜରିମାନା ଥିବା ବେଳେ ଗଚ୍ଛିତ ଅଚଳ ନୋଟର ପରିମାଣ ଅଧିକ ଥିଲେ ୫ ଗୁଣା ଜରିମାନା ଦେବାକୁ ହେବ ।

ସେହିପରି ଜାନୁୟାରୀ ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଭୁଲ ତଥ୍ୟ ଦେଇ ରିଜର୍ଭ ବ୍ୟାଙ୍କରେ ଟଙ୍କା ଜମା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁଲ ତଥ୍ୟ ଦେଇ ଟଙ୍କା ଜମା ରଖିଲେ ୫ ହଜାର ଟଙ୍କା ଜରିମାନା କିମ୍ବା ଜମା ରାଶିର ୫ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ । ସେହିପରି ଡିସେମ୍ବର ୩୦ ତାରିଖ ପରେ ରିଜର୍ଭ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ହେଲେ ଜଟିଳ ପ୍ରକିୟା ଦେଇ ଗତିକରିବାକୁ ହେବ ।