ଆଦିଲ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଦୋହଲିଗଲା ଦେଶ ! ଆକ୍ରମଣ ଥିଲା ଏତେ ଭୟଙ୍କର, ୧୦ କିଲୋମିଟର ଯାଏଁ ଶୁଣାଗଲା ଶବ୍ଦ

309

କନକ ବ୍ୟୁରୋ : କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈସ-ଇ-ମହମ୍ମଦ । ଆତଙ୍କବାଦୀ ଆଦିଲ ଅହମ୍ମଦ ବିସ୍ଫୋଟକ ଭର୍ତ୍ତି ଗାଡି ଯବାନଙ୍କ ବସ ସହ ଧକ୍କା କରି ବିସ୍ଫୋରଣ କରିଥିଲା । ଆଦିଲ ପୁଲୱାମା ଗୁଣ୍ଡିବାଗ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା । ଏଭଳି ଆକ୍ରମଣ ପାଇଁ ଆଦିଲକୁ ଆଫଗାନ ମୁଜାହିଦ ଜୈସର ଆତଙ୍କବାଦୀ ଗାଜି ରଶିଦ ଟ୍ରେନିଂ ଦେଇଥିଲା । ତେବେ ଏହି ଘଟଣାକୁ ଦେଶର ଚାରିଆଡ଼ୁ ନିନ୍ଦା କରାଯାଇଛି । ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ହେଉ ବୋଲି ଯୁବଗୋଷ୍ଠୀ ଦାବି କରୁଛନ୍ତି । ଏହି ଆତଙ୍କବାଦୀଙ୍କ ବର୍ବରାତପୂର୍ବକ କାଣ୍ଡକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି । ଜମ୍ମୁ କଶ୍ମୀରରେ ଏକ ବିଶାଳ ଯୁବଗୋଷ୍ଠୀ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି ।

ପୁଲୱାମାରେ ବ୍ୟବହୃତ ହୋଇଥିବା ବିସ୍ଫୋରକ ସାମଗ୍ରୀ ଏତେ ଶକ୍ତିଶାଳୀ ଥିଲା ଯେ, ୧୦-୧୨ କିଲୋମିଟର ଯାଏଁ ଶୁଣାଯାଇଥିଲା । ପୁଲୱାମା ସମେତ ଆଖପାଖ ଶ୍ରୀନଗରର କିଛି ଅଂଚଳକୁ ମଧ୍ୟ ଶବ୍ଦ ଶୁଣାଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଘଟଣା ପରେ ସହିଦ ଯବାନଙ୍କ କ୍ଷତ-ବିକ୍ଷତ ମୃତଦେହ ଜମ୍ମୁ କଶ୍ମୀର ଜାତୀୟ ରାଜପଥରେ ପଡ଼ିରହିଥିଲା । ଯବାନଙ୍କ ମୃତ ଦେହ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ସେମାନଙ୍କ ପରିଚୟ ଖୋଜିବା ଭାରି କଷ୍ଟକର ହୋଇପଡ଼ିଥିଲା । ବିସ୍ଫୋରଣ ପରେ ଭୟଙ୍କର ଶବ୍ଦ ଶୁଣିବା ପରେ ଭୟରେ ଲୋକେ ପଳାୟନ କରିବାକୁ ଲାଗିଥିଲେ । ଘଟଣାସ୍ଥଳରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଲେଥପୁର ବଜାରର ଦୋକନୀମାନେ ଯଥଶୀଘ୍ର ଦୋକାନଗୁଡ଼ିକର ସର୍ଟର ବନ୍ଦ କରି ପଳାୟନ କରିଥିଲେ ।