ଜୈଶ ମୁଖ୍ୟ ପାକିସ୍ତାନରେ ଲୁଚିଥିବା ସ୍ପଷ୍ଟ କଲେ ପାକ୍ ବୈଦେଶିକ ମନ୍ତ୍ରୀ ! କହିଲେ ମସୁଦ ଅଜହରର ସ୍ୱାସ୍ଥ୍ୟବସ୍ଥା ଗୁରୁତର

297

କନକ ବ୍ୟୁରୋ : ଶେଷରେ ସତ ମାନିଲା ପାକିସ୍ତାନ । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଅଜହର ପାକିସ୍ତାନରେ ଅଛି ବୋଲି ସ୍ୱୀକାର କଲେ ପାକ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେସୀ । ତେବେ ମସୁଦ ଅଜହରର ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ସେ ଘରୁ ବାହାରି ପାରୁନଥିବା ପ୍ରକାଶ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ । ପ୍ରବଳ ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ଏହା ମାନିଥିବା କୁହାଯାଉଛି । ତେବେ ମସୁଦ୍ ଅସୁସ୍ଥ ଥିବା କଥା କହି ପାକିସ୍ତାନ ଏକ ନୂଆ ଚାଲ କରିଥିବା ସନ୍ଦେହ କରାଯାଉଛି ।

ପୁଲୱାମା ଆକ୍ରମଣରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସମ୍ପୃକ୍ତି ନେଇ ପାକିସ୍ତାନକୁ ଗତକାଲି ଡୋସିୟର ଦେଇଛି ଭାରତ । ଅନ୍ୟପଟେ ମସୁଦ୍ ଓ ତାର ସଂଗଠନକୁ କଳା ତାଲିକା ଭୁକ୍ତ କରିବାକୁ ବୁଧବାର ମିଳିତ ଜାତିସଂଘରେ ପ୍ରସ୍ତାବ ଆଣିଥିଲେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ । ଏହି ପ୍ରସ୍ତାବ ପାକିସ୍ତାନକୁ ଅଡୁଆରେ ପକାଇଛି ।  ପୁଲୱମା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ୍ ହୋଇଥିଲେ । ଆଉ ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଜୈଶ୍ ।

ସୂଚନାଯୋଗ୍ୟ ଅନେକ ଦିନ ଧରି ମସୁଦ ଅଜହର ପାକିସ୍ତାନରେ ଲୁଚି ରହିଛି ବୋଲି ଦାବି କରୁଥିଲା ଭାରତ । ମସୁଦ ଭାରତ ବିରୋଧରେ ଲଗାତାର ପାକିସ୍ତାନ ମାଟିରେ ରହି ଷଡ଼ଯନ୍ତ୍ର ଚଳାଇଛି । ତେବେ ଏକଥା ସବୁବେଳେ ପାକ୍ ସରକାର ଖଣ୍ଡନ କରୁଥିଲେ । ଏବେ ପାକିସ୍ତାନ ନିଜେ ସ୍ୱୀକାର କରିଛି କି ମସୁଦ ଅଜହର ପାକିସ୍ତାନରେ ହିଁ ଲୁଚିଛି ।