ପୁଲୱାମା ଆତଙ୍କୀ ଆକ୍ରମଣ: ଦୁଇ ବୀର ଓଡିଆଙ୍କର ଶେଷ ଦର୍ଶନର ଏହି ଫଟୋ ଦେଖିଲେ କୋହରେ ଥରି ଉଠିବ ଓଡିଶାବାସୀଙ୍କ ଛାତି

255

କନକ ବ୍ୟୁରୋ: ଜମ୍ମୁୁ-କାଶୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଶାର ଦୁଇ ବୀର ପୁତ୍ର ।  ଦେଶ ପାଇଁ ଜୀବନ ଦେଇଥିବା ଦୁଇ ଓଡିଆ ବୀର ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ଥାନା ଅଂଚଳ ରତନପୁର ଗାଁର ମନୋଜ ବେହେରା । ଆତଙ୍କବାଦୀ ହମଲାରେ ପ୍ରସନ୍ନ ଓ ମନୋଜ ସହିଦ ହେବା ଖବର ଗାଁରେ ପହଂଚିବା ପରେ ଅଂଚଳରେ ସ୍ତବ୍ଧ ହୋଇଯାଇଛି ଜନ୍ମମାଟି ।

ଯବାନଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ସହିଦଙ୍କୁ ଝୁରି ହେଉଛନ୍ତି ଅଂଚଳବାସୀ । ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ଜନ୍ମମାଟି । ଆଜି ଦୁଇ ବୀର ଓଡିଆଙ୍କ ଜନ୍ମମାଟିରେ ତାଙ୍କର ପାର୍ଥିବ ଶରୀର ପହଂଚିବ । ଯାହାର କିଛି ଛାତି ଥରା ଫଟୋ ଜରିଆରେ ଏହି ଦୁଇ ବୀର ଓଡିଆଙ୍କୁ ଶେଷ ସଲାମ ଜଣାଇଛୁ । ତେବେ ଏହି  ଫଟୋଗୁଡିକୁ ଦେଖିବା ପୂର୍ବରୁ ପ୍ରଥମେ ନିଜ ହୃଦୟକୁ ମଜଭୁତ କରିବାକୁ ହେବ ।

ଓଡ଼ିଶା ଜଣାଇଛି ତା’ର ଦୁଇ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଜମ୍ମୁକଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ସିଆର୍‌ପିଏଫ୍‌ କର୍ମୀ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବା ପରେ ସୃଷ୍ଟି ହୋଇଥିଲା ଭାବଗମ୍ଭୀର ପରିବେଶ। ନେତା, ଜନତା,ସୁରକ୍ଷାକର୍ମୀ,ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମକର୍ମୀ ଆଦି ସବୁ ଶ୍ରେଣୀର ବ୍ୟକ୍ତିଙ୍କର ହଜାର ହଜାର ସଂଖ୍ୟାରେ ଭିଡ଼ ଜମିଥିଲା ବିମାନବନ୍ଦରରେ।

ଏଥିସହ ସହିଦଙ୍କ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବେଳେ ଅତ୍ୟନ୍ତ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସେମାନଙ୍କ ଲୁହ ଛଳ ଛଳ ଆଖି ଦେଖି ଅନ୍ୟମାନଙ୍କ ଆଖିରେ ବି ଜକେଇ ଆସିଥିଲା ଲୁହ। ପୁଲିସ ବାହିନୀ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ ତୋପ ସଲାମୀ ଦିଆଯାଇଥିଲା।

ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଓ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନା ଏବଂ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଦୁଇ ଯବାନଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ରାଜ୍ୟ ପୁଲିସ ଓ ସିଆର୍‌ପିଏଫ୍‌ ପକ୍ଷରୁ ମଧ୍ୟ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

ଏହାପରେ ଦୁଇଟି ସ୍ୱତନ୍ତ୍ର ଗାଡ଼ିରେ ସହିଦ ପ୍ରସନ୍ନ କୁମାର ସାହୁଙ୍କ ମରଶରୀର ଜଗତସିଂହପୁର ଜିଲ୍ଲାର ନାଉଗାଁର ପାରିଶିଖର ଗାଁକୁ ଏବଂ ସହିଦ ମନୋଜ କୁମାର ବେହେରାଙ୍କ ଶରୀର କଟକ ଜିଲ୍ଲାର ନିଆଳି ବ୍ଲକ୍‌ ଅନ୍ତର୍ଗତ ରତନପୁରକୁ ପଠାଯାଇଛି। ପୈତୃକ ଗ୍ରାମରେ ଦୁଇ ସହିଦଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ରହିଛି।