ବ୍ୟର୍ଥ ଯିବନି ବଳିଦାନ । ମୋଦିଙ୍କ ସହ କାନ୍ଧ ମିଳାଇଲେ ରାହୁଲ, ଆତଙ୍କବାଦୀଙ୍କୁ ଦିଆଯିବ କଡ଼ା ଜବାବ ।

ଆତଙ୍କବାଦୀଙ୍କୁ କଡ଼ା ଜବାବ୍ ଦେବ ଭାରତ । ମୋଦିଙ୍କ ସହ କାନ୍ଧ ମିଳାଇଲେ ରାହୁଲ, ବିଶ୍ୱଦରବାରରେ ପାକିସ୍ତାନକୁ କଡ଼ା ନିନ୍ଦା ।

2,117

କନକ ବ୍ୟୁରୋ: ଗତକାଲି ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୨ଜଣ ଯବାନଙ୍କ ସହିଦ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆଉ ସମଗ୍ର ଭାରତରେ ଖେଳିଯାଇଛି ଶୋକାକୂଳ ପରିବେଶ । ଏପରିକି ପ୍ରତିଟି ଘଟଣାକୁ ନେଇ ରାଜନୀତି କରୁଥିବା ରାଜନୈତିକ ଦଳ ଆଜି ଏକ ହୋଇଛନ୍ତି । ଆତଙ୍କବାଦୀ ମୁକାବିଲା ପାଇଁ ଶାସକ ଓ ବିରୋଧୀ କାନ୍ଧକୁ କାନ୍ଧ ମିଳାଇ ଭାରତୀୟ ସେନାଙ୍କ ସହ ରହିଛନ୍ତି ବୋଲି ଦେଖିବାକୁ ମିଳିଛି । ପୁଲୱାମାରେ ଯେଉଁଭଳି ଭାବେ ଆତ୍ମଘାତୀ ବିସ୍ଫୋରଣରେ ୪୨ ଜଣ ସିଆରପିଏଫ୍ ଯବାନ ଦେଶ ପାଇଁ ବଳିଦାନ ଦେଇଛନ୍ତି ତାହା ବ୍ୟର୍ଥ ଯିବନି ବୋଲି କହିଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ଆଗକୁ ନିର୍ବାଚନ ଥିଲେ ମଧ୍ୟ ଏହାକୁ ବାଦ୍ ଦେଇ ଯବାନ ଓ କେନ୍ଦ୍ର ସରକାରଙ୍କ ସହିତ ଛିଡ଼ା ହୋଇଛନ୍ତି ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ । ଜଣକ ପରେ ଜଣେ କେନ୍ଦ୍ର ସରକାରଙ୍କ ସାଥ୍ ଦେଇଛନ୍ତି । ଏହି ମର୍ମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  କହିଛନ୍ତି ଯେ, କେନ୍ଦ୍ର ସରକାର ଯାହା ନିଷ୍ପତି ନେବେ କଂଗ୍ରେସ ତାହାକୁ ସମର୍ଥନ ଜଣାଇବ । ଯେଉଁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିଛନ୍ତି ତାହାର ଦୃଢ଼ ଜବାବ ଦିଆଯିବ । କେବଳ କଂଗ୍ରେସ ନୁହେଁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ଗୁଡ଼ିକ ଏବେ କେନ୍ଦ୍ର ସରକାର ଏବଂ ଯବାନ ମାନଙ୍କ ସହ ଛିଡ଼ା ହୋଇଛନ୍ତି ।

ଆଗାମୀ ନିର୍ବାଚନକୁ ମାସ କେଇଟା ବାକିଥିଲେ ମଧ୍ୟ ସମସ୍ତ ରାଜନୈତିକ ଦଳକୁ ଏକାଠି କରିଛି ପୁଲୱାମା ଆତଙ୍କୀ ହମଲା । ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଆତଙ୍କବାଦୀ ସଂଗଠନକୁ ଦୃଢ଼ ଜବାବ ଦେବା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ନିଷ୍ପତିକୁ ସମର୍ଥନ ଜଣାଇବାକୁ ଆଗକୁ ବାହାରିଛନ୍ତି ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ।

ସେହିପରି ବିଶ୍ୱଦରବାରରେ ପୁଲୱାମା ଆତଙ୍କୀ ହମଲାର ଦୃଢ଼ ନିନ୍ଦା କରାଯାଇଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଜଘନ୍ୟକାଣ୍ଡକୁ ଆମେରିକା ଠାରୁ ଆରମ୍ଭ କରି ଚିନ୍ ପରି ଶକ୍ତିଶାଳୀ ଦେଶ କଡ଼ା ନିନ୍ଦା କରିଛନ୍ତି ।