ପୁଲୱାମା ଆତଙ୍କୀ ହମଲା: ଆଧାର କାର୍ଡ, ଘଂଟା ଏବଂ ୱାଲେଟରୁ ହୋଇଥିଲା ସହିଦ ଯବାନଙ୍କ ଚିହ୍ନଟ

283

ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନଙ୍କ ସହିଦ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆଉ ସମଗ୍ର ଭାରତରେ ଖେଳିଯାଇଛି ଶୋକାକୂଳ ପରିବେଶ । ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈସ-ଇ-ମହମ୍ମଦ । ଆତଙ୍କବାଦୀ ଆଦିଲ ଅହମ୍ମଦ ବିସ୍ଫୋଟକ ଭର୍ତ୍ତି ଗାଡି ଯବାନଙ୍କ ବସ ସହ ଧକ୍କା କରି ବିସ୍ଫୋରଣ କରିଥିଲା । ଆଦିଲ ପୁଲୱାମା ଗୁଣ୍ଡିବାଗ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା । ଏଭଳି ଆକ୍ରମଣ ପାଇଁ ଆଦିଲକୁ ଆଫଗାନ ମୁଜାହିଦ ଜୈସର ଆତଙ୍କବାଦୀ ଗାଜି ରଶିଦ ଟ୍ରେନିଂ ଦେଇଥିଲା । ତେବେ ଆତଙ୍କୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଅଧିକାଂଶ ମୃତଦେହ ଏତେ କ୍ଷତବିକ୍ଷତ ହୋଇପଡିଥିଲା କି ସାଥି ଯବାନ ଆଧାର କାର୍ଡ, ଛୁଟିର ଆବେଦନ ପତ୍ର ଏବଂ ସେନାର ପରିଚୟ ପତ୍ରରୁ ହିଁ ସହିଦ ଯବାନଙ୍କର ଚିହ୍ନଟ କରିଥିଲେ ।

ଅଧିକାରୀଙ୍କ ସୂଚନା ମୁତାବକ, ବିସ୍ଫୋରଣରେ ମୃତଦେହ ଗୁଡିକର ଅବସ୍ଥା ଏଭଳି ହୋଇଯାଇଥିଲା କି ସେମାନଙ୍କର ପରିଚୟ ମିଳିବା ବହୁତ କଷ୍ଟକର ହୋଇପଡିଥିଲା । ସେମାନଙ୍କ ପକେଟରୁ ମିଳିଥିବା କାଗଜପତ୍ର ଏବଂ ଅନ୍ୟାନ୍ୟ ଜିନିଷରୁ ହିଁ ଚିହ୍ନଟ କରିବା ସମ୍ଭବ ହୋଇଥିଲା । କିଛି ସହିଦଙ୍କର ସାଥିମାନେ ହାତ ଘଂଟା ଏବଂ ୱାଲେଟରୁ ତାଙ୍କର ଚିହ୍ନଟ କରିଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଜାମ୍ମୁ କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାର ତଦନ୍ତ ଆରମ୍ଭ କରିଛି ଏନଆଇଏ ଟିମ୍ । ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ହମଲା ହୋଇଥିବା ଅବନ୍ତୀପୋରାରରେ ପହଂଚି ଜାତୀୟ ତଦନ୍ତକାରୀ ସଂସ୍ଥା ଯାଂଚ ଆରମ୍ଭ କରିଛି । ଫରେନସିକ ଟିମ ସହ ଘଟଣାସ୍ଥଳରୁ ପ୍ରମାଣ ଯୋଗାଡ କରୁଛି ଏନଆଇଏ । ଅନ୍ୟପଟେ ଏହି ହମଲାରେ ସଂପୃକ୍ତି ସନ୍ଦେହରେ ଜାମ୍ମୁକଶ୍ମୀର ପୁଲିସ ୭ ଜଣଙ୍କୁ ଥାନାକୁ ଉଠାଇ ଆଣି ପଚରା ଉଚରା କରୁଛି । ଅବନ୍ତୀପୋରା ଓ ପୁଲବାମାରୁ ୭ ଜଣ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ଜେରା କରାଯାଉଛି ।

କୁଟନୈତିକ ସ୍ତରରେ ପାକିସ୍ତାନକୁ ଏକ ଘରକିଆ କରିବାକୁ ଉଦ୍ୟମ

ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ଆରମ୍ଭ କରିଛି କୁଟନୀତି । କୁଟନୈତିକ ସ୍ତରରେ ପାକିସ୍ତାନ ଉପରେ ଚାପ ପକାଇବା ପାଇଁ ଦୁନିଆର ବିଭିନ୍ନ ଦେଶ ସହ ଯୋଗାଯୋଗ ଆରମ୍ଭ କରିଛି ଭାରତ । ମିଳିଥିବା ଖବର ଅନୁସାରେ ବୈଦେଶିକ ସଚିବ ବିଜୟ ଗୋଖଲେ, ଦିଲ୍ଲୀରେ ଥିବା ୨୫ଟି ଦେଶର ହେଡ୍ ଅପ୍ ମିଶନଙ୍କୁ ସାକ୍ଷତ କରିଛନ୍ତି । ଜୈସ-ଇ-ମହମ୍ମଦ ଏବଂ ଆତଙ୍କବାଦୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଜର୍ମାନୀ, ହଙ୍ଗେରୀ, ଇଟାଲି, ୟୁରୋପିଆନ୍ ସଂଘ, କାନାଡ଼ା, ବ୍ରିଟେନ୍, ରୁଷିଆ ଇଜ୍ରାଏଲ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ସ୍ୱିଡେନ୍, ସ୍ଲୋଭାକିଆ, ଫ୍ରାନ୍ସ, ସ୍ପେନ୍ ଏବଂ ଭୁଟାନ୍ ପ୍ରମୁଖ ଦେଶର ହେଡ୍ ଅପ୍ ମିଶନଙ୍କୁ ସାକ୍ଷତ କରିଛନ୍ତି ବୈଦେଶିକ ସଚିବ । ଏହା ବ୍ୟତୀତ ପଡୋଶୀ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ଥାନ ଏବଂ ନେପାଳ ସହ ମଧ୍ୟ ଯୋଗାଯୋଗ କରାଯାଇଛି ।

ଆମେରିକାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକାରେ ଏମାର୍ଜେନ୍ସି ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣକୁ ନେଇ ଅଚଳାବସ୍ଥା ଦୂର କରିବାକୁଯାଇ ଟ୍ରମ୍ପ ଏମାର୍ଜେନ୍ସି ଲାଗୁ କରିଥିବା କହିଛନ୍ତି । ପ୍ରାଚୀର ନିର୍ମାଣ ପାଇଁ ଫଣ୍ଡ ମଂଜୁରୀକୁ ଆମେରିକା ସଂସଦରେ ବିରୋଧ କରାଯାଉଥିଲା । ଏବେ ଏମାର୍ଜେନ୍ସୀ ଲାଗୁ ହୋଇଥିବାରୁ ପ୍ରାଚୀର ନିର୍ମାଣ ପାଇଁ ଆବଶ୍ୟକ ୫.୬ ଅରବ ଡଲାର ମଂଜୁର କରିପାରିବେ ଟ୍ରମ୍ପ ।
ଆମେରିକା ରାଷ୍ଟ୍ରପତିଙ୍କ ଅନୁସାରେ ଦେଶରେ ଅବୈଧ ଅନୁପ୍ରବେଶକାରୀ, ମାଦକ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ହେଲେ ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ନିହାତି ଆବଶ୍ୟକ । ହ୍ୱାଇଟ ହାଉସର ରୋଜ ଗାର୍ଡେନରେ ଟ୍ରମ୍ପ କହିଛନ୍ତି, ଦେଶରେ ଡ୍ରଗ୍ସ, ମାନବ ଚୋରା ଚାଲାଣ ଓ ସବୁ ପ୍ରକାର ଅପରାଧ ଉପରେ ଅଂକୁଶ ଲଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଜରୁରୀକାଳିନ ପରିସ୍ଥିତି ସମୟରେ ନାଗରିକଙ୍କ ସ୍ୱତନ୍ତ୍ରତା ଓ କିମ୍ବା କୌଣସି ପ୍ରକାର ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକ ଲାଗିବ ନାହିଁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।