ଦେଶବାସୀଙ୍କ ରକ୍ତ ଗରମ ! ଆକ୍ରମଣର ଜବାବ ଦେବା ପାଇଁ ଦାବି, ହେବ କି ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ?

118

କନକ ବ୍ୟୁରୋ : ଉରୀ ଆତଙ୍କବାଦୀ ହମଲାର ୨ବର୍ଷ ପରେ କାଶ୍ମୀରରେ ବଡ ଧରଣର ଆତଙ୍କୀ ହମଲା ସାରାଦେଶକୁ ଦୋହଲାଇ ଦେଇଛି । ଜାମ୍ମୁ ଶ୍ରୀନଗର ଯାଉଥିବା ସିଆରପିଏଫ ଦଳ ଉପରେ ଅଚାନକ ହମଲା କରିଥିଲେ ଆତଙ୍କବାଦୀ । ଏଥିରେ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତି କରାଯାଇଛି । ୭୮ଟି ବସ୍ ସିଆରପିଏଫ ଯବାନମାନଙ୍କୁ ନେଇ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଠାତ ଏକ ବିସ୍ଫୋରକ ଭରା କାର ସିଧା ଆସି ଦୁଇଟି ସିଆରପିଏଫ ବସକୁ ଧକ୍କା ଦେଇଥିଲା ।

ଏହାପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ ବସ ସମ୍ପୁର୍ଣ୍ଣ ଭାବରେ ଜଳିଯାଇଥିଲା । ବିସ୍ଫୋରକ ଭରା କାରଟି ମହିନ୍ଦ୍ରା ସ୍କର୍ପିଓ ଏସୟୁଭି ଥିଲା ବୋଲି ଜଣାପଡିଛି । ଏବଂ ଏଥିରେ ୩୫୦ କିଲୋ ବିସ୍ଫୋରକ ଲଦାଯାଇଥିବା ଜଣାପଡିଛି । ପୋଲିସର କହିବାନୁସାରେ ବିସ୍ଫୋରକ ଭରା କାରଟିକୁ ଅଦିଲ ଅହମ୍ମଦ ନାମକ ଜଣେ ଆତଙ୍କବାଦୀ ଚଳାଉଥିଲା । ଜମ୍ମୁରୁ ଶ୍ରୀନଗରକୁ ୭୮ଟି ବସରେ ୨୫୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଯାଉଥିଲେ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବସରେ ୩୯ ଜଣ ଯବାନ ଯାତ୍ରା କରୁଥିଲେ । ୨୦୧୮ରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଏହି ଆତଙ୍କବାଦୀର ସ୍କେଚ ଜାରି କରିଛି ପୋଲିସ । ଆତଙ୍କି ସଂଗଠନ ଜୈସ-ଇ-ମହମ୍ମଦ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏନେଇ ଜୈସ-ଇ-ମହମ୍ମଦ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ଆତଙ୍କବାଦୀ ଆକ୍ରମଣ ଘଟଣାର ଦୃଢ଼ ଜବାବ ଦେବାକୁ ଦେଶବାସୀ ଦାବି କରିଛନ୍ତି । ପାକିସ୍ତାନ ବିରୋଧରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଉ ବୋଲି ଦାବି କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ପାକିସ୍ତାନ ବିରୋଧରେ ବିକ୍ଷୋଭ ହୋଇଛି । ପାକିସ୍ତାନ ମୁର୍ଦାବାଦ କରି ବିକ୍ଷୋଭ କରିଛନ୍ତି ଦେଶବାସୀ ।