ସହିଦ୍ ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ନିଜ ଜନ୍ମଦିନ ପାଳିଲାନାହିଁ ଏହି ଛୋଟ ଝିଅ ! କୁନି ହାତରେ ଦାନ ଦେଲା ୬୮୦ ଟଙ୍କା ।

238

ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ସିଆରପିଏଫ୍ ଯବାନଙ୍କ ଉପରେ ଫେବୃଆରୀ ୧୪ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ପରେ ସମ୍ପୁର୍ଣ୍ଣ ଦେଶ ଶୋକରେ ରହିଛି । ଏହି ଆକ୍ରମଣରେ ୪୦ ରୁ ଅଧିକ ସିଆରପିଏଫ୍ ଯବାନ ସହିଦ୍ ହୋଇଯାଇଛନ୍ତି । ସହିଦ୍ ଯବାନଙ୍କ ଉପରେ ପୁରା ଦେଶ ଯେତେବେଳେ ଗର୍ବ କରୁଛି । ଅନ୍ୟପକ୍ଷରେ ଏଭଳି ଏକ ଭୟାବହ ଆକ୍ରମଣ ଖବର ଶୁଣି ସମସ୍ତଙ୍କ ଆଖିରେ ଅଶ୍ରୁଧାର ରହିଛି । ଦେଶସାରା ଲୋକ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଏହି ଆକ୍ରମଣର ଦୃଢ ନିନ୍ଦା କରିଛନ୍ତି । କିଛି ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଥିବା ବେଳେ ଆଉ କିଛି ଲୋକ ସୋସିଆଲ୍ ମିଡିଆରେ ନିଜ କ୍ଷୋଭ ପ୍ରକାଶ କରୁଛନ୍ତି ।

ସହିଦଙ୍କ ପରିବାରର ସାହାଯ୍ୟ ପାଇଁ ବହୁ ବଡ ବଡ ଲୋକ ଆଗକୁ ଆସୁଛନ୍ତି । ଏଥିମଧ୍ୟରେ ଭୋପାଲରେ ରହୁଥିବା ଜଣେ ୧୧ ବର୍ଷୀୟ ଝିଅ ମୁସ୍କାନ୍ ଅହିରବାର ସହିଦଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ନିଜର ଛୋଟ ହାତକୁ ଆଗକୁ ବଢାଇଛି । ମୁସ୍କାନ୍ ର ଜନ୍ମଦିନ ଫେବୃଆରୀ ୧୫ ତାରିଖରେ ଥିଲା । ନିଜର ଜନ୍ମଦିନ ପାଳନ କରିବାକୁ ଏହି ଝିଅଟି ୬୮୦ ଟଙ୍କା ଜମା କରିଥିଲା । କିନ୍ତୁ ପୁଲୱାମା ଆକ୍ରମଣ କଥା ଶୁଣି ଏହି ଛୋଟ ଝିଅଟି ନିଜ ଜନ୍ମଦିନ ପାଳନ କରିବା ବଦଳରେ ସବୁ ଟଙ୍କା ସୈନିକ କଲ୍ୟାଣ ଫଣ୍ଡକୁ ଦାନ କରିଥିଲା । ଛୋଟ ଝିଅଟିର ଏଭଳି ମହତ୍ କାମକୁ ଦେଖି ପାଖ ପଡୋଶୀମାନେ ମଧ୍ୟ ସାହାଯ୍ୟର ହାତ ବଢାଇ ୧୧୦୦ ଟଙ୍କା ଫଣ୍ଡକୁ ଦାନ କରିଥିଲେ । ବୟସରେ ଖୁବ୍ ଛୋଟ ହୋଇଥିଲେ ମଧ୍ୟ ଏହି ଛୋଟ ଝିଅଟିର ଦେଶ ଏବଂ ସହିଦ୍ ଯବାନଙ୍କ ପ୍ରତି ଥିବା ପ୍ରେମକୁ ଏବେ ସମସ୍ତେ ସଲାମ୍ କରୁଛନ୍ତି ।