ଯବାନଙ୍କ ବଳିଦାନ, ସହିବ ନାହିଁ ହିନ୍ଦୁସ୍ତାନ! ଗୁଇନ୍ଦା ସୂଚନା, ୫୦ ଗାଡି  ଓ ୨୫୦୦ ଯବାନ।  ଏହା ପରେ ମଧ୍ୟ ହେଲା ଆତଙ୍କବାଦୀ ଆକ୍ରମଣ

656

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଘଟଣାରେ ୪୪ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଯବାନ ଜୀବନ ସହ ସଂଘର୍ଷ କରୁଛନ୍ତି । ଆଉ ଏଭଳି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ପ୍ରାୟ ୫୦ଟି ଗାଡି ହାଇୱେରେ ବାହାରିଥିଲା । ଯେଉଁଥିରେ ୨୦ରୁ ଅଧି କବସ, ଟ୍ରକ ଓ ଏସୟୁଭି ଗାଡି ସାମିଲ ଥିଲା । ପ୍ରତି ବସ ଓ ଟ୍ରକରେ ପାଖାପାଖି ୩୫ରୁ ୪୦ ଜଣ ଯବାନ ଯାତ୍ରା କରୁଥିଲେ । ଯେତେବେଳେ ଯବାନ ମାନେ ହାଇୱେରେ ଯାତ୍ରା କରୁଥିଲେ ସେତେବେଳେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବେଶ କଡାକଡି ଥିଲା । କିନ୍ତୁ ଏହାପରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ।

ସୁରକ୍ଷାବଳଙ୍କ ସୂଚନା ଅନୁଯାୟୀ, ହାଇଆଲର୍ଟ ସହ ଗାଡି ଗୁଡିକ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ବାହାରିଥିଲା । ତେବେ ଗାଡି ଗୁଡିକ ଗୁଣ୍ଡିପୋରା ନିକଟରେ ପହଞ୍ଚିବା ପରେ ହାଇୱେ ଉପରେ ଥିବା ଏକ ଆଇଇଡି ଭର୍ତ୍ତି କାର ସିଆରପିଏଫ ଯବାନଙ୍କ ବସକୁ ଧକ୍କା ଦେଇଥିଲା । ଆଉ ଧକ୍କା ହେବା ପରେ ବଡଧରଣର ବିସ୍ଫୋରଣ ହୋଇଥିଲା । ଆଉ ଚାହୁଁ ଚାହୁଁ ୪୪ ଜଣ ଯବାନ ଏହି ଆକ୍ରମଣରେ ସହିଦ ହୋଇଗଲେ । ଏହାକୁ କାଶ୍ମୀରରେ ଦ୍ୱିତୀୟ ବୃହତ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଆକ୍ରମଣର ଗୋଟିଏ ସପ୍ତାହ ପୂର୍ବରୁ ଏଭଳି ଆକ୍ରମଣ ନେଇ ଆଲର୍ଟ ଜାରି କରାଯାଇଥିଲା । ଏହାପରେ ମଧ୍ୟ ଆତଙ୍କବାଦୀ ହମଲାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସୁରକ୍ଷା ଏଜେନ୍ସି ଗୁଡିକ ।

ଯେଉଁ ବସକୁ ଟାର୍ଗେଟ କରାଯାଇଥିଲା ତାହାକୁ ପ୍ରଥମେ କାର ପିଛା କରିଥିଲା ଓ ମଝି ରାସ୍ତାରେ ହିଁ ଧକ୍କା ଦେଇଥିଲା । ବଡ କଥା ହେଲା. ଏହା କାଶ୍ମୀରରେ ପ୍ରଥମ ଆତ୍ମଘାତୀ ଆକ୍ରମଣ ଯାହାକୁ କାର ଦ୍ୱାରା କରାଯାଇଛି । ଏହାପୂର୍ବରୁ ସିରିଆ ଓ ଆଫଗାନିସ୍ତାନରେ ଏହି ଧରଣର ଆକ୍ରମଣ ଦେଖିବାକୁ ମିଳିଛି । ତେବେ ସୁରକ୍ଷା ଏଜେନ୍ସି ଗୁଡିକର ଚିନ୍ତା ଏଥିପାଇଁ ବଢି ଯାଇଛି କାରଣ ଆତ୍ମଘାତୀ ଆକ୍ରମଣ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର । ଏହାପୂର୍ବରୁ ଗୁଇନ୍ଦା ବିଭାଗ ଆଲର୍ଟ କରିଥିଲା ଯେ, ଅଫଜଲ ଗୁରୁର ମୃତୁବାର୍ଷିକ ପାଇଁ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଏପରିକି ଆକ୍ରମଣ ପାଇଁ ଆଇଇଡି ବିସ୍ଫୋରକ ଆତଙ୍କବାଦୀ ମାନେ ବ୍ୟବହାର କରିପାରନ୍ତି ବୋଲି ସୂଚନା ମିଳିଥିଲା । ତେଣୁ ସମସ୍ତ ସୁରକ୍ଷାକର୍ମୀଙ୍କୁ ସାବଧାନ କରାଯାଇଥିଲା । କିନ୍ତୁ ଏହାପରେ ଏତେବଡ ଆକ୍ରମଣ ଭାରତର ଚିନ୍ତା ବଢାଇ ଦେଇଛି ।