ପୁଲୱାମାର ପ୍ରଥମ ପ୍ରତିଶୋଧ ନେଲା ଭାରତୀୟ ସେନା ! ବୋମାରେ ଉଡାଇଲେ ଆତଙ୍କୀ ଗାଜି ରସିଦର ଆଡ୍ଡା, ସେପଟେ ଆତଙ୍କୀଙ୍କ ଗୁଳିରେ ୫ ଯବାନ ସହିଦ ।

1,841
କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ହମଲାର ଚାରିଦିନ ପରେ ପ୍ରତିଶୋଧ ନେଲା ଭାରତୀୟ ସେନା । ଜୈସ୍-ଏ-ମହମ୍ମଦର ଟପ୍ କମାଣ୍ଡର ଅବଦୁଲ ରସିଦ ଗାଜି ଓରଫ କାମରାନକୁ ହତ୍ୟା କରିଛି ସେନା । କୁହାଯାଉଛି ପୁଲୱାମା ଆକ୍ରମଣର ସେ ଥିଲା ମାଷ୍ଟରମାଇଣ୍ଡ । ଆଇଇଡି ଏକ୍ସପର୍ଟ ହୋଇଥିବାରୁ, ଆତ୍ମଘାତୀ ଆତଙ୍କବାଦୀ ଅବଦୁଲ ଡାରକୁ ସେ ହିଁ ଦେଇଥିଲା ପ୍ରଶିକ୍ଷଣ । ଗାଜି ସଂପର୍କରେ ସୂଚନା ପାଇ ରବିବାର ରାତିରୁ ଆରମ୍ଭ ହୋଇଥିଲା ସେନାର ଅପରେସନ୍ । ଗାଜି ଲୁଚି ରହିଥିବା ବିଲ୍ଡିଂକୁ ଉଡାଇ ଦେଇଥିଲେ ସୁରକ୍ଷାକର୍ମୀ । ଏଥିରେ ଗାଜି ସମେତ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା  । ଆଉ ଏହି ଅପରେସନରେ ସହିଦ ହୋଇ ଯାଇଥିଲେ ଜଣେ ଲେଫ୍ଟନାଂଟ କର୍ଣେଲ ଓ ଜଣେ ମେଜରଙ୍କ ସମେତ ୫ ଜଣ ଯବାନ  । ଆହତଙ୍କ ମଧ୍ୟରେ ଅଛନ୍ତି ବ୍ରିଗେଡିୟର ହରବୀର ସିଂହ ଓ ଦକ୍ଷିଣ କାଶ୍ମୀରର ଡିଆଇଜି ।
ରବିବାର ବିଳମ୍ବିତ ରାତି । ପୁଲୱାମା ଜିଲ୍ଲା ପିଙ୍ଗଲିନା ଗାଁ । ପୁଲାୱାମା ହମଲା ପରେ ଘାଟିରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଅପରେସନକୁ ଜୋରଦାର କରିଥିଲା ଭାରତୀୟ ସେନା । ରବିବାର ପୁଲୱାମା ଜିଲ୍ଲା ପିଙ୍ଗଲିନା ଗାଁରେ କେତେକ ଆତଙ୍କବାଦୀ ଲୁଚିରହିଥିବା ଖବର ମିଳିଲା । ଆଉ ରାତି ୧୨ଟା ବେଳକୁ ଆରମ୍ଭ ହୋଇଥିଲା ଅପରେସନ୍ । ରାତିତମାମ୍ ଅପରେସନରେ ସାମିଲ ହୋଇଥିଲେ ୫୫ ରାଷ୍ଟ୍ରୀୟ ରାଇଫଲ, ସିଆରପିଏଫ ଏବଂ ଏସଓଜିର ଯବାନ୍ । ଆତଙ୍କବାଦୀ ଲୁଚି ରହିଥିବା ଅଂଚଳକୁ ଚାରିପଟୁ ଘେରି ମିଳିତ ଆକ୍ରମଣ କରିଥିଲେ ଭାରତୀୟ ଯବାନ୍ । ଆତଙ୍କବାଦୀମାନେ ମଧ୍ୟ ସେନା ଉପରକୁ କରିଥିଲେ ଗୁଳିମାଡ ।
୧୮ ଫେବ୍ରୁଆରୀ ୨୦୧୯ । ସୋମବାର ଭୋର ସମୟ । ଆତଙ୍କବାଦୀ ଲୁଚି ରହିଥିବା ଅଂଚଳକୁ ଚାରିପଟୁ ଘେରି ଗୁଳିମାଡ କରିଥିଲା ଭାରତୀୟ ସେନା । ବିଳମ୍ବିତ ରାତିରେ ଗୁଳିମାଡ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ହେଲେ ପୁଣି ସୋମବାର ସକାଳୁ ଅଚାନକ ଗୁଳିମାଡ ଆରମ୍ଭ କରିଦେଲେ ଆତଙ୍କବାଦୀ । ଏଥିରେ ଭାରତୀୟ ସେନାର ଜଣେ ଲେଫ୍ଟନାଂଟ କର୍ଣ୍ଣେଲ ଓ ଜଣେ ମେଜରଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଛନ୍ତି । ମେଜର ଡିଏମ ଡୋଣ୍ଡିୟାଲ, ହେଡ୍ କନଷ୍ଟେବଲ ସେବା ରାମ୍, ସିପାହୀ ଅଜୟ କୁମାର ଓ ସିପାହୀ ହରି ସିଂ ସହିଦ ହୋଇଥିଲେ ଏହି ଅପରେସନରେ । ତେବେ ଆତଙ୍କୀଙ୍କ ଗୁଳି ମାଡକୁ ଖାତିର ନକରି ବିଲ୍ଡିଂର ଚାରିପଟୁ ଘେରି ରହିଥିଲେ ଯବାନ୍ । ଘନଘନ ଗୁଳିମାଡ ସହ ପୂରା ବିଲ୍ଡିଂକୁ ବିସ୍ଫୋରଣରେ ଉଡାଇ ଦେଇଥିଲା ସେନା । ଶେଷରେ ଜଣାପଡିଲା ସେନାର ଗୁଳିରେ ପ୍ରାଣ ହରାଇଛି ଜୈସ-ଏ-ମହମ୍ମଦର ଟପ୍ କମାଣ୍ଡର ଅବଦୁଲ ରସିଦ ଗାଜି ଓରଫ କାମରାନ୍ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ନମ୍ବର-୨ ଗାଜି ରସିଦ୍ ।
ଗାଜି ରସିଦ ଓରଫ କାମରାନ୍ । ‘ଜୈସ’ର ଟପ୍ କମାଣ୍ଡର । ପୁଲୱାମା ହମଲାର ମାଷ୍ଟରମାଇଣ୍ଡ । ପୁଲୱାମା ଆତ୍ମଘାତୀ ଆକ୍ରମଣର ୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତୀୟ ସେନା । ପୁରା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ରସିଦ ଓରଫ କାମରାନକୁ ହତ୍ୟା କରାଯାଇଛି । ବିସ୍ଫୋରକ ଭର୍ତି ଗାଡିକୁ ସିଆରପିଏଫ ଯବାନଙ୍କ ଗାଡି ସହ ଧକ୍କା କରିଥିବା ଆତଙ୍କୀ ଆଦିଲ ଡାରକୁ ସେ ହିଁ ପ୍ରଶିକ୍ଷଣ ଦେଇଥିଲା । ଆଫଗାନିସ୍ତାନରେ ତାଲିବାନ ସହ ମିଶି ନାଟୋ ସେନା ସହ ଲଢିବାର ଅଭିଜ୍ଞତା  ଥିବାରୁ ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହରର ପ୍ରିୟ ଥିଲା ଗାଜି । କୁହାଯାଉଛି, ଗତବର୍ଷ ମାସୁଦ ଆଜହରର ପୁତୁରା ଉସମାନକୁ ସେନା ହତ୍ୟା କରିବା ପରେ ଘାଟିର ଦାୟିତ୍ୱ ଆଇଇଡି ଏକ୍ସପର୍ଟ ଗାଜିକୁ ଦେଇଥିଲା ଆଜହର । ୨୦୦୮ରେ ଜୈସ-ଏ-ମହମ୍ମଦରେ ଯୋଗ ଦେବା ପରେ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କୁ ମୃତ୍ୟୁର ତାଣ୍ଡବ ରଚିବା ପାଇଁ ପ୍ରଶିକ୍ଷଣ ଦେଉଥିଲା ଗାଜି ।