ମିଳିଲା ଆତଙ୍କୀ ଗଡ଼ର ନକ୍ସା ! ପୁଲୱାମା ଆକ୍ରମଣର ପ୍ରତିଶୋଧ ପାଇଁ ସେନା ପ୍ରସ୍ତୁତ

539

କନକ ବ୍ୟୁରୋ : ପୁଲୱାମା ଆକ୍ରମଣକାରୀଙ୍କୁ କଦାପି ରକ୍ଷା ମିଳିବ ନାହିଁ । ଭାରତ ଉପରେ ଆଖି ପକାଇଥିବା ଆତଙ୍କବାଦୀ ଆଉ ଲୁଚିପାରିବେ ନାହିଁ । ଇଙ୍କାର ଜବାବ ପଥରରେ ଦିଆଯିବ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେନା, ସମସ୍ତଙ୍କ ମନରେ କ୍ରୋଧର ଅଗ୍ନି ହୁତୁ ହୁତୁ ହୋଇ ଜଳୁଛି । ସମସ୍ତଙ୍କର କେବଳ ଗୋଟିଏ ଦାବି ବିଶ୍ୱ ଆତଙ୍କବାଦୀ ମୁକ୍ତ ହେଉ । ବର୍ତ୍ତମାନ ଆକ୍ରମଣ ପାଇ ଯାଂଚ ଜୋରସୋରରେ ଚାଲିଛି । ଆତଙ୍କବାଦୀଙ୍କ ଘୃନ୍ୟ ଷଡ଼ଯନ୍ତ୍ରର ଖୁଲାସା ଧୀରେ ଧୀରେ ହୋବାରେ ଲାଗିଛି ।

ଏନଆଇଏ ଯାଂଚରୁ ଜଣାପଡ଼ିଛି ଜମ୍ମୁ-କଶ୍ମୀରର ଜାତୀୟ ରାଜପଥରେ ୨୦ରୁ ୨୫ କିମି ଭିତରେ ରହିଛି ଆତଙ୍କବାଦର ହଟ୍ ବେଡ଼୍ । ଏଠାରେ ଆତଙ୍କବାଦୀମାନେ ଅନେକ ବର୍ଷରୁ ଲୁଚି ରହିଛନ୍ତି । ଆତଙ୍କବାଦର ହଟ୍ ବେଡ଼୍ ଉପରେ ଏବେ ସେନା ଓ ସୁରକ୍ଷା ଏଜେନ୍ସିର ନଜର ପଡ଼ିଛି । ଏହି ହଟ୍ ବେଡ଼ରେ ଜୈଶର ଆତଙ୍କବାଦୀଙ୍କ ଲୁଚିଥିବାର ଖର ଆସିଛି । ଆତଙ୍କବାଦୀଙ୍କ ଏହି ହଟ୍ ବେଡ଼୍ ପାମ୍ପୋର ଠାରୁ ପୁଲୱାମା ମଧ୍ୟରେ ରହିଥିବା ଜଣାପଡ଼ିଛି ।

ସୁୁରକ୍ଷାକର୍ମୀମାନେ ପାମ୍ପୋର ଠାରୁ ପୁଲୱାମା ମଧ୍ୟରେ ଥିବା ଏହି ଗାଁରେ ତଲାସୀ ଅଭିଯାନ ଆରମ୍ଭ ହୋଇଯାଇଛି । ସୁରକ୍ଷାମର୍କୀମାନେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ରାଶିଦ୍ ଗାଜି ଓ କାମରାନକୁ ଖୋଜୁଛନ୍ତି । ସୂଚନା ଅନୁସାରେ ରାଶିଦ ଗାଜି ହିଁ ଆକ୍ରମଣର ମୁଖ୍ୟ ନାୟକ ଆଦିଲକୁ ବିସ୍ଫୋଟକ ଲଗାଇବା ସହ ବିସ୍ଫୋରଣ କରାଇବାର ପ୍ରଶକ୍ଷଣ ଦେଇଥିଲା । ଆଫଗାନିସ୍ତାନରେ ରାଶିଦ ଗାଜିକୁ ଆଇଇଡ଼ି ଏକ୍ସପର୍ଟ କୁହାଯାଏ । ଗୁଇନ୍ଦା ବିଭାଗ ଅନୁସାରେ ୧୧ ପେବୃୟାରୀରେ ରନ୍ତୀପୁରା ଗାଁରେ ସେନା ସହ ରାଶିଦ ଗାଜି ମୁହାଁମୁହିଁ ହୋଇଥଲେ ।

ହେଲେ ରାଶିଦ୍ ଗାଜି କୌଣସି ମତେ ସେନା ଠାରୁ ଫେରାର ହୋଇଯାଇଥିଲା । ମୁହାଁମୁହିଁ ହେବା ଫଳରେ ଜଣେ ସ୍ଥାନୀୟ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏନଆଇଏ ପୁଲୱାମା ଠାରୁ ପାମ୍ପୋର (୨୦ରୁ ୨୫ କମି)ମଧ୍ୟରେ ମୋବାଇଲ ଟାୱାର ଅଂଚଳରେ କରାଯାଉଥିବା ସନ୍ଦିଗ୍ଧ କଲ୍ ଡିଟେଲ ଚେକ୍ କରୁଛି ।