ପୁଲୱାମା ଆକ୍ରମଣ ଘଟଣା ତଦନ୍ତରେ ଏନଆଇଏକୁ ବଡ ସଫଳତା । ଫୋନ କଲରେ ମିଳୁଛି ପାକିସ୍ତାନର ଲିଙ୍କ୍

ସେପଟେ ୫ ନମ୍ବର ବସ୍ ବୁଲେଟ୍ ପ୍ରୁଫ୍ ନଥିବା ନେଇ ସୂଚନା

1,805

କନକ ବ୍ୟୁରୋ: ଜାମ୍ମୁ କଶ୍ମୀରର ପୁଲୱାମା ଆତଙ୍କବାଦୀ ଘଟଣାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଆତଙ୍କୀ ହମଲା ହୋଇଥିବା ବସ ବୁଲେଟ ପ୍ରୁଫ ନଥିଲା । ୫ ନମ୍ବର ବସଟି ବୁଲେଟ ପ୍ରୁଫ ନଥିବା ଜଣାପଡିଛି । ଫରେନସିକ ଓ ଏନଏସଜି ଟିମର ତଦନ୍ତ ପରେ ପ୍ରାରମ୍ଭିକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ସେପଟେ ଏନଆଇଏ ଟିମ୍ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଚଳାଇଛି । କୁହାଯାଉଛି ଏହି ଧମାକାରେ ୩୫୦ ନୁହଁ ବରଂ ୬୦ କେଜି ବିସ୍ଫୋରକ ବ୍ୟବହାର ହୋଇଥିଲା । ସେପଟେ ଏହି ଘଟଣାରେ ୭ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଏନଆଇଏ ହେପାଜତକୁ ନେଇଥିବା କୁହାଯାଉଛି । ପୁଲୱାମାଠାରୁ ୨୫ କିଲୋମିଟର୍ ମଧ୍ୟରେ ଥିବା ମୋବାଇଲ୍ ଟାୱାର୍ ଗୁଡ଼ିକରୁ କଲଡିଟେଲ୍ ବାହାର୍ କରି ଏନଆଇଏ ଯାଂଚ କରୁଥିବା କୁହାଯାଉଛି ।

ଅନ୍ୟପଟେ ଏନଆଇଏର ଖୋଳତାଡ଼ ଓ ବ୍ୟାପକ ଛାନଭିନ୍ ପରେ ସବୁକିଛି ସ୍ପଷ୍ଟ ହେବ ଓ ଅଧିକ ତଥ୍ୟ ହସ୍ତଗତ ହେବ । ତେବେ ଫୋନ କଲ୍ ଯାଂଚରୁ ଏହି ଘଟଣାରେ ପାକିସ୍ତାନର ଲିଙ୍କ ଥିବା ଜଣାପଡିଥିବା ସୂଚନା ମିଳିଛି । ପୁଲୱାମା ଅବନ୍ତୀପୁରାରେ ହୋଇଥିବା ଆତଙ୍କବାଦୀ ହାମଲା ପରେ ସ୍ଥାନୀୟ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନଆଇଏ ବା ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସିର ଟିମ ଏହି ଘଟଣାର ଅନୁଧ୍ୟାନ କରୁଛନ୍ତି । ସବୁପ୍ରକାର ପରିସ୍ଥିତି ଉପରେ ନଜର ରଖାଯାଇଛି ।

ସେନା ପକ୍ଷରୁ ୨୪ଘଂଟିଆ ପାଟ୍ରୋଲିଂ କରାଯାଉଛି । ବିଶେଷ କରି ବିସ୍ଫୋରଣ ସ୍ଥାନରେ ଯେପରି ପୁନର୍ବାର କୌଣସି ଅଘଟଣ ନଘଟେ ସେଥିପ୍ରତି ଧ୍ୟାନ ଦିଆଯାଉଛି । ପୁଲୱାମା ଓ ପାମ୍ପେରରେ ସୁରକ୍ଷାବାହିନୀ ତଦନ୍ତ ଚଳାଇଛନ୍ତି । କଡା ସୁରକ୍ଷା ଭିତରେ କେଉଁ ପରିସ୍ଥିତିରେ ଆତଙ୍କବାଦୀମାନେ ଏତେ ବଡ ବିସ୍ଫୋରଣ ଘଟାଇଲେ ସେନେଇ ତଲାସି ନିଆଯାଉଛି । ଘଟଣାସ୍ଥଳରୁ ଦୀର୍ଘ ୨୦ ଓ ୨୫ କିଲୋମିଟର ଅଂଚଳକୁ ବିଶେଷ ଭାବେ ଧ୍ୟାନରେ ରଖାଯାଇଛି । ଜମ୍ମୁକଶ୍ମୀର ବାନ୍ଦୀପୋରାରେ ହାଇଆର୍ଲଟ । ଏଠାରେ ଏକ ସନ୍ଦିଗ୍ଧ ଟାଟା ସୁମୋ ଦେଖାଯିବା ପରେ ଆର୍ଲଟ ଜାରି କରାଯାଇଛି ।