ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । କଳାରେ ପାସ୍ ହାର ୭୧.୫୫% ଥିବା ବେଳେ ବାଣିଜ୍ୟରେ ପାସ୍ ହାର ରହିଛି ୭୦.୩୯% । ତେବେ ଧନ୍ଦାମୂଳକ ଶିକ୍ଷାରେ ପାସ ହାର ରହିଛି ୫୭.୮୭% ।କଳାରେ ମୋଟ୍ ଏକ ଲକ୍ଷ ୭୩ ହଜାର ୮୭୧ ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ , ବାଣିଜ୍ୟରେ ୨୨ ହଜାର ୩ଶହ ୨୦ ପିଲା ପାସ କରିଛନ୍ତି ।  କଳାରେ ବରଗଡ ଜିଲ୍ଲାର ପାସହାର ସର୍ବାଧିକ  ୮୪ ଦଶମିକ ୧୧ ପ୍ରତିଶତ ରହିଛି ।  ସର୍ବନିମ୍ନ ପାସହାର ସୁନ୍ଦରଗଡର ୪୫ ଦଶମିକ ୪୯ ପ୍ରତିଶତ ହୋଇଛି । ଆର୍ଟସରେ ୨ଶହ ୫୨ ଜଣ ପିଲା ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ  ୪ ହଜାର ୨ଶହ ପିଲା ୭୦ ପ୍ରତିଶତରୁ ଅଧିକା ନମ୍ବର ରଖିଛନ୍ତି । କଳାରେ ମୋଟ୍ ୧୮ଶହ ୩୬ ଜଣ ପ୍ରଥମ ଶ୍ରେଣୀ ପାଇଥିବାବେଳେ ୨୮ ହଜାର ୨ଶହ ୬୨ ଜଣ ପିଲା ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି ।

ସେହିଭଳି ବାଣିଜ୍ୟରେ ନୟାଗଡରେ ସର୍ବାଧିକ ପାସହାର  ୯୨ ଦଶମିକ ୬୧ ପ୍ରତିଶତ  ଥିବାବେଳେ ସର୍ବନିମ୍ନ ରହିଛି ଦେବଗଡରେ । ବାଣିଜ୍ୟରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୪୦୭ ଜଣ ପିଲା । ସେହିଭଳି ଏକ ହଜାର ୭୩୪ ଜଣ ପିଲା ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଛନ୍ତି ।

୨ଟି ୱେବସାଇଟ୍ ଜରିଆରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ୱେବସାଇଟ୍ ଦୁଇଟି ହେଲା- ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ଓରିସାରେଜଲ୍ଟସ ଡଟ୍ ଏନ୍ଆଇସି ଡଟ୍ ଇନ୍ ଏବଂ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ସିଏଚ୍ଏସି ଓଡ଼ିଶା ଡଟ୍ ଏନ୍ଆଇସି ଡଟ୍ ଇନ୍ । ଚଳିତବର୍ଷ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ବିଜ୍ଞାନ ଫଳ ଇ-ମୂଲ୍ୟାୟନ ଜରିଆରେ ହୋଇଥିବା ବେଳେ କଳା ଛାତ୍ରଛାତ୍ରୀଙ୍କ ଖାତାର ମୂଲ୍ୟାୟନ ମାନୁଆଲ ପଦ୍ଧତିରେ କରାଯାଇଛି । ଗତ ୧୩ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ।