ଆଜି ପାଇଁ ଶେଷ ହୋଇଛି ରଥ ଟଣା ! ଭକ୍ତଙ୍କୁ ସୁହାଇଲା ଅନୁକୂଳ ପାଗ, ଘୋଷଯାତ୍ରା ଦେଖିବାକୁ ବଡଦାଣ୍ଡରେ ୧୦ ଲକ୍ଷ ସମାଗମ

56

କନକ ବ୍ୟୁରୋ : ଆଜି ପାଇଁ ଶେଷ ହୋଇଛି ରଥ ଟଣା । ପଟିଆରାଣୀ ମନ୍ଦିର ନିକଟରେ ଦେବୀ ସୁଭଦ୍ରାଙ୍କ ରଥ ଅଟକି ଥିବା ବେଳେ ବଳଗଣ୍ଡିରେ ଅଟକିଛି ବଳଭଦ୍ରଙ୍କ ରଥ । ଆଉ ମାର୍କେଟ ଛକ ନିକଟରେ ଅଟକି ଯାଇଛନ୍ତି ଜଗତର ନାଥ ଜଗନ୍ନାଥ । କାଳିଆ ସାଆନ୍ତଙ୍କୁ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଦେଖିବାକୁ ରାଜ୍ୟ, ତଥା ଦେଶ ବିଦେଶରୁ ଭକ୍ତ ସୁଅ ଛୁଟିଥିଲା । ମନ୍ଦିର ବାହାରେ ଭକ୍ତକୁ ଦର୍ଶନ ଦେବା ପାଇଁ ବର୍ଷକୁ ଥରେ ବାହାରନ୍ତି ବଡ ଠାକୁର । ବିଶ୍ୱାସ ରହିଛି ଏହି ସମୟରେ ଠାକୁରଙ୍କ ଦର୍ଶନ କଲେ କୋଟି କୋଟି ଜନ୍ମର ପୁଣ୍ୟ ମିଳେ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଦେଖିବା ପାଇଁ ଅନୁକୁଳ ପାଗ ଭିତରେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମ , ବଡଦାଣ୍ଡକୁ ଲୋକାରଣ୍ୟ କରିଦେଇଥିଲା ।

ସକାଳ ୧୦ ଟା ୨୦ରେ ଆରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ସମସ୍ତଙ୍କ କୌତୁହଳ ବଢୁଥାଏ କେତେବେଳେ ରଥରେ ଚଢି ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ । ବଡଦାଣ୍ଡରୁ ବଡ ଦେଉଳକୁ ଚାହିଁ ରହିଥିଲେ ଭକ୍ତ । ଏହାର ପ୍ରାୟ ଦେଢଘଂଟା ପରେ ଆରମ୍ଭ ହେଲା ବଡଠାକୁରଙ୍କ ପହଣ୍ଡି । ବଡ ଦେଉଳରୁ ବାହାରି ଆସିଲେ ବଡଠାକୁର । ବାଇସି ପାହାଚରେ ଝୁଲି ଝୁଲି ପହଣ୍ଡିରେ ଆସିଲେ ଚତୁର୍ଧାମୁରତି ।

ରଥ-ପଥ-ଜଗନ୍ନାଥ । ପ୍ରସ୍ତୁତ ହୋଇଯାଇଥିଲା ମହାବାହୁଙ୍କ ରଥ । ଶ୍ରୀଜିଉଙ୍କୁ ରଥ ଉପରେ ଚଢି ଦର୍ଶନ କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ସମୟ ସହ ଭିଡ ବଢୁଥିଲା ଆଉ ତାସହ ବଢିଚାଲିଥିଲା ଭକ୍ତର ଆବେଗ । ତାମଜାନରେ ପହଁଚିଥିଲେ ମହାରାଜ ଦିବ୍ୟସିଂହ ଦେବ । ଗୋଟିଏ ପରେ ଗୋଟିଏ ରଥରେ ଚଢି ସୁନା ଖଡିକାରେ ଛେରା ପହଁରା କରିଥିଲେ । ଅପରାହ୍ନ ୩ ଟା ୫୦ ବେଳକୁ ଆରମ୍ଭ ହେଲା ରଥ ଟଣା ।

ଆଗେ ତାଳଧ୍ୱଜ, ପଛେ ନନ୍ଦିଘୋଷ ମଝିରେ ଦେବଦଳନ । ବଡଦାଣ୍ଡରେ ତିନି ରଥକୁ ଟାଣି ନେଇଥିଲେ ଭକ୍ତ । ରଥ ଦଉଡିକୁ ହାତରେ ନେଉ ନେଉ ଆଖିରେ ଆସିଯାଉଥିଲା ଲୁହ । ଆଉ ଭକ୍ତର ଭଗବାନ ରଥ ଉପରେ ଥାଇ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଦେଉଥିଲେ ଦର୍ଶନ । ବଡଦାଣ୍ଡ ପାଲଟିଥିଲା ଜନସମୁଦ୍ର ।