ଦୁର୍ଗାପୁଜା ପାଇଁ ଚଳଚଂଚଳ ଟ୍ୱିନସିଟି ! ଭୁବନେଶ୍ୱର ଓ କଟକର ସୁରକ୍ଷା ପାଇଁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି, ସହରକୁ ଜଗିବେ ୭୯ ପ୍ଲାଟୁନ ଫୋର୍ସ

45

କନକ ବ୍ୟୁରୋ: ଦୁର୍ଗାପୂଜା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ମର୍ମରେ ଗତକାଲି କମିସନରେଟ୍ ପୁଲିସ ମୁଖ୍ୟାଳୟରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଓ କଟକ ଡିସିପି ଅଖିଳେଶ ସିଂହଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଦୁଇ ସହରରେ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣିବେଳେ ଆଇନଶୃଙ୍ଖଳା ରକ୍ଷା ଓ ଟ୍ରାଫିକ୍ ପରିଚାଳନା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । କଟକ-ଭୁବନେଶ୍ୱରରେ ମୋଟ ୭୯ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ସ୍ଥିର ହୋଇଥିଲା ।

ଚଳିତ ବର୍ଷ କଟକରେ ୧୬୮ଟି ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଆୟୋଜନ କରାଯାଉଥିବାବେଳେ ଭୁବନେଶ୍ୱରରେ ୧୭୨ଟି ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଅନୁଷ୍ଠିତ ହେବ । ତେବେ କଟକ ସହର ଅଧିକ ସମ୍ବେଦନଶୀଳ ଥିବାରୁ କଟକରେ ୫୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେଉଥିବାବେଳେ ଭୁବନେଶ୍ୱରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହା ଛଡ଼ା କଟକରେ ୨ କମ୍ପାନି ସିଆରପିଏଫ୍ ଯବାନ ମଧ୍ୟ ନିୟୋଜିତ ହେବେ । ପୂଜା ସମୟରେ କୌଣସି ପ୍ରକାର ଆପରାଧିକ କାର୍ଯ୍ୟକଳାପ ନ ଘଟିବା ପାଇଁ ଅପରାଧୀମାନଙ୍କ ଉପରେ ମାସକ ତଳୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି । ଏହାଛଡ଼ା ପୂଜା ସମୟରେ ଦୁଇ ସହରର କେତେକ ପ୍ରମୁଖ ରାସ୍ତାରେ ଡାଇର୍ଭସନ କରାଯିବ । ପୁରୀରୁ କଟକ ଓ ଭୁବନେଶ୍ୱର ଆସୁଥିବା ବସ୍ଗୁଡ଼ିକୁ ପାଇଁ ଭିନ୍ନ ରୁଟ୍ ଲାଇନ୍ ପ୍ରସ୍ତୁତ ହୋଇଛି ।

ଆତଙ୍କବାଦୀ ହମଲା ପାଇଁ ପ୍ରସ୍ତୁତ ରହିବ ଏସଓଜି

ପୂଜା ସମୟରେ ଦୁଇ ସହରରେ ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ ଏଥିପାଇଁ କମିସନରେଟ୍ ପୁଲିସ ପ୍ରସ୍ତୁତ ରହିବ । କଟକରେ ଦୁଇ ପ୍ଲାଟୁନ୍ ଏସଓଜି ନିୟୋଜିତ ହେବାକୁ ଥିବାବେଳେ ଭୁବନେଶ୍ୱର ଗୋଟିଏ ପ୍ଲାଟୁନ୍ ଏସଓଜି । ଏହାଛଡ଼ା ଦୁଇ ସହରରେ ଷ୍ଟ୍ରାଇକିଂ ଫୋର୍ସ, ଏନଡିଆରଏଫ୍, କୁଇକ୍ ଆକ୍ସନ ଟିମ୍ ମଧ୍ୟ ଦୁଇ ସହର ଉପରେ ନଜର ରଖିବ । ସାଦା ପୋଷାକରେ ପୁଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପଇଁତରା ମାରିବ । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ଆଉଟପୋଷ୍ଟ ଖୋଲିବ ।

ସିସିଟିଭି ଓ ସ୍ୱେଚ୍ଛାସେବୀ ରଖିବେ ପୂଜା କମିଟି

କମିସନରେଟ୍ ପୁଲିସ ପକ୍ଷରୁ ଦୁଇ ସହରରେ ଥିବା ସମସ୍ତ ପୂଜା କମିଟିଗୁଡ଼ିକୁ ମଣ୍ଡପ ନିକଟରେ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି । ଏହା ଛଡ଼ା ମଣ୍ଡପ ନିକଟରେ ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବା ଲାଗି ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି । ଯେଉଁ ମଣ୍ଡପରେ ମା’ ଦୁର୍ଗା ସୁନା ଓ ଚାନ୍ଦି ବେଶ ହେଉଛନ୍ତି ସେଠାରେ ସଶସ୍ତ୍ର ପୁଲିସ ଫୋର୍ସ ଦିନ ରାତି ଜଗି ରହିବେ ।

ଟ୍ରାଫିକରେ ପରିବର୍ତ୍ତନ

ଆସନ୍ତା ୨୬ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୁଜା ସମୟରେ କୌଣସି ପ୍ରକାରର ଭାରୀଯାନ ସହର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ । କେବଳ ଜାତୀୟ ରାଜପଥର ଓଭରବ୍ରିଜ ଉପର ଦେଇ ଭାରୀଯାନ ଯିବା ଆସିବା କରିବ । ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ୍ ଲିଙ୍ଗିପୁର, ସାମନ୍ତରାପୁର, ରାଜମହଲ, ଶିଶୁଭବନ, ଗଙ୍ଗନଗର ହୋଇ ଫାୟାର ଷ୍ଟେସନ୍ ଛକରେ ବାହାରିବେ । ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍ ଗୁଡିକ ସେହି ଛକ ଦେଇ ଫେରିବେ । ଏହି ନିୟମର ଖିଲାପ କଲେ କମିସନରେଟ୍ ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।