ଦିନକୁ ଦିନ ବଢିବାରେ ଲାଗିଛି ମହିଳାଙ୍କ ପ୍ରତି ହିଂସା : ମହିଳା ବିରୋଧୀ ହିଂସା ରୋକିବାରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ

167

କନକ ବ୍ୟୁରୋ : ପୁରୁଷ ପ୍ରଧାନ ସମାଜରେ ନାରୀ ପ୍ରତି ହିଂସାର ଇଏ ଗୋଟିଏ ରୂପ । ଘରୋଇ ହିଂସା ଏବଂ କର୍ମକ୍ଷେତ୍ରରେ ଯୌନ ଶୋଷଣ ସହ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ମହିଳାଙ୍କ ପ୍ରତି ଅଶ୍ଳିଳ ଆଚରଣ, ପିଛା କରିବା, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, କମେଂଟ ମାରିବା ଏବଂ ଦୁଷ୍କର୍ମ କରିବା ଏହାର ଗୋଟିଏ ଗୋଟିଏ ଉଦାହରଣ । ଯେଉଁଠି ମହିଳାଙ୍କୁ ଜଣେ ବ୍ୟକ୍ତି ନଭାବି ବସ୍ତୁ ବୋଲି ଚିନ୍ତା କରାଯାଉଛି ।

ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ-୨୦୧୬ର ତଥ୍ୟ କହୁଛି, ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି । ବର୍ଷ ୨୦୧୬ରେ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର ଘଟଣା ୪୮୬୪ଟି ରେକର୍ଡ ହୋଇଛି । ସେହିପରି ୯୭୯ଟି ଯୌନ ନିର୍ଯାତନା, ୨୧୦୭ଟି ଯୌନ ଅତ୍ୟାଚାର ଏବଂ ୧୮୯୯ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଦିଲ୍ଲୀରେ ୨୦୧୩ ନିର୍ଭୟା ଗଣଦୁଷ୍କର୍ମ ଘଟଣା ପରେ କଡାକଡି ହୋଇଥିଲା ମହିଳା ନିର୍ଯାତନା ଆଇନ୍ । ପ୍ରଥମ ଥର ପାଇଁ ମହିଳାଙ୍କ ପ୍ରତି ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, ଲୁଚିଛପି ଫଟୋ ଇଠାଇବା ଓ ଭିଡିଓ କରିବା, ପିଛା କରିବା ଏବଂ ଏସିଡ୍ ଆକ୍ରମଣ କରିବା ଭଳି ଘଟଣାକୁ ଧର୍ତ୍ତବ୍ୟ ଅପରାଧ ଭାବେ ଏହି ଆଇନରେ ବିବେଚନା କରାଗଲା ।

ମହିଳା ମାନେ ଘର ଭିତରେ, ସର୍ବସାଧାରଣ ସ୍ଥାନରେ ଓ କାର୍ଯ୍ୟକ୍ଷେତ୍ରରେ ସାମ୍ନା କରୁଥିବା ହିଂସା ପାଇଁ ସାମାଜିକ ରୀତିନୀତି ଓ ପିତୃ କୈନ୍ଦ୍ରିକ ବ୍ୟବସ୍ଥା ଦାୟୀ । ମହିଳାଙ୍କୁ ଗୋଟିଏ ବସ୍ତୁ ନୁହେଁ ବରଂ ବ୍ୟକ୍ତି ବୋଲି ଭାବିବା ଆବଶ୍ୟକତା ରହିଛି । ମହିଳା ବିରୋଧୀ ହିଂସା ରୋକିବାରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ- ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମିସ୍ କଲ୍ କରନ୍ତୁ- ୦୯୭୦୦୦୮୯୫୫୫ ।