ଜଗନ୍ନାଥଙ୍କ ପାଇଁ ଜନଶୁଣାଣି : ଶ୍ରୀମନ୍ଦିରରେ ସଂସ୍କାର ପ୍ରସଙ୍ଗରେ ଲୋକଙ୍କ ମତାମତ ନେବ ପ୍ରଶାସନ,ଆଗାମୀ ୧୦ ତାରିଖରେ ବସିବ ବୈଠକ

55

କନକ ବ୍ୟୁରୋ : ଜଗନ୍ନାଥଙ୍କ ପାଇଁ ହେବ ଜନଶୁଣାଣି । ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ମତ ରଖିବେ ସଧାରଣ ଜନତା ଓ ସେବାୟତ । ଆସନ୍ତା ୧୦ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ୩ ଜଣିଆ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ସଂସ୍କାର ନେଇ ଜନଶୁଣାଣି କରିବେ । ତେବେ ଏହାକୁ ନେଇ ସେବାୟତମାନେ ଉଠାଇଛନ୍ତି ଆପତ୍ତି ।

puri-jagannath-temple

୩ଜଣିଆ ବିଶେଷଜ୍ଞ କମିଟି ସାମ୍ନାରେ ମତାମତ ରଖିବେ ସାଧାରଣ ଜନତା । ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ନିଜର ମତ, ଉଭୟ ଲିଖତ ଏବଂ ମୌଖିକ ଭାବେ ରଖିପାରିବେ । କମିଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ଜନଶୁଣାଣି ।

puri

ଆସନ୍ତା ଶୁକ୍ରବାର ୩ଘଂଟା ଧରି ଚାଲିବାକୁ ଥିବା ଏହି ଜନଶୁଣାଣିରେ ଜନ ସାଧାରଣଙ୍କ ସମେତ ସେବାୟତମାନେ ଭାଗ ନେଇପାରିବେ । ଶ୍ରୀମନ୍ଦିର ସଂସ୍କାର ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ନିଜର ମତାମତ ଦେଇପାରିବେ । ବିଶେଷକରି ଶ୍ରୀମନ୍ଦିରରେ ଦାନ ଦକ୍ଷିଣା, ବଂଶାନୁକ୍ରମିକ ସେବା, ମନ୍ଦିରରେ ସିସିଟିଭି ଓ ଅବଢ଼ାର ରେଟ୍ ଚାଟ୍ ଭଳି ଯେଉଁ ସବୁ ପ୍ରସଙ୍ଗକୁ ନେଇ ବିତର୍କ ଚାଲିଛି ସେ ନେଇ ମତାମତ ରଖିବେ । ହେଲେ ଜନତାଙ୍କୁ ଭ୍ରମିତ କରିବାର ଉଦ୍ୟମ ହେଉଛି ବୋଲି ଅଭିଯୋଗ କରିଛନ୍ତି ସେବାୟତ ।
ଏହି ଜନଶୁଣାଣିକୁ ବିରୋଧ କରିବେ ବୋଲି ସେବାୟତ କହୁଥିବା ବେଳେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଅଭିଷାପ ଦେବାକୁ ମଧ୍ୟ ପଛଘୁଂଚା ଦେଇ ନାହାଁନ୍ତି । ଆଉ ଏହାରି ଭିତରେ ନଜର ରହିଛି ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ନେଇ କିଛି ମତାମତ ଲୋଡାଯାଉଛି କି ନାହିଁ । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତରେ ଏହା ସବୁଠାରୁ ବଡ ବିତର୍କିତ ପ୍ରସଙ୍ଗ ହୋଇ ରହିଛି ।

puri
Source:google.com

ସେପଟେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ତତ୍କାଳିନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଦାୟିତ୍ୱ ହସ୍ତାନ୍ତର କରିବା ପୂର୍ବରୁ ରତ୍ନ ଭଣ୍ଡାରର ନକଲି ଚାବି ସରକାରୀ ଟ୍ରେଜେରିରେ ଡିପୋଜିଟ୍ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି ବିଜେପି । ରତ୍ନଭଣ୍ଡାର ଚାବିକୁ ସରକାରୀ ଟ୍ରେଜେରିରେ ରଖିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ସେପଟେ ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, ଚାବି ଟ୍ରେଜେରିରେ ଡିପୋଜିଟ୍ କରାଯିବା କଥା ସତ୍ୟପାଠ ଜରିଆରେ ତଦନ୍ତ କମିସନଙ୍କୁ ଜଣାଇ ଦିଆଯିବ ।