୨୦୧୯ରେ କାହାକୁ ଟିକେଟ ଦେବ ବିଜେପି ? ମୋଦି ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ, ବିଜେପି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ନମୋ ଆପ

33

ବିଜେପି ବିଧାୟକ ଓ ସାଂସଦ ତଥା ଦଳର ବିଭିନ୍ନ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ନମୋ ଆପ । ବିଜେପି ସରକାରର ୪ ବର୍ଷର ରିପୋର୍ଟ କାର୍ଡ଼ ମୋଦି ଜନତାଙ୍କୁ ଦେବା ପରେ ଏବେ ଦଳୀୟ ନେତାଙ୍କ ରିପୋର୍ଟ କାର୍ଡ଼ ଜନତାଙ୍କୁ ମାଗିଛନ୍ତି । ମୋଦି ସରକାରର ୪ ବର୍ଷ ଶେଷରେ ବିଧାୟକ, ସାଂସଦ ଓ ନେତା କଣ କାମ କରିଛନ୍ତି ତାହାର ଟିକିନିକି ହିସାବ ଜନତାଙ୍କୁ ମାଗିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଜନତାଙ୍କ ଠାରୁ ନିଆ ଯାଇଥିବା ମତାମତ ଆଧାରରେ ସାଂସଦ ଓ ବିଧାୟକଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରାଯିବ । ସବୁଠୁ ବଡ଼ କଥା ହେଲା ଏହି କାମକୁ ମୋଦି ନମୋ ଆପ ଜରିଆରେ କରିବାକୁ ଯାଉଛନ୍ତି । ଆଉ ଏଭଳି କରି ବିଜେପି ସରକାରର ୪ ବର୍ଷର ହିସାବ ଜନତାଙ୍କୁ ମାଗିଛନ୍ତି ମୋଦି ।

ନମୋ ଆପ ଜରିଆରେ ମୋଦି ପ୍ରତି ବିଧାନସଭା କ୍ଷେତ୍ରର ବିକାଶ ନେଇ ଜନତାଙ୍କୁ ହିସାବ ମାଗିଛନ୍ତି । ଏଣିକି ସାଧାରଣ ଜନତା ସିଧାସଳଖ ବିଧାୟକ ଓ ସାଂସଦଙ୍କ ବାବଦରେ ମୋଦିଙ୍କୁ ମତାମତ ଦେଇ ପାରିବେ ।ଏହାଛଡ଼ା ଏହି ଆପ ଜରିଆରେ ମୋଦି ବିଭିନ୍ନ ରାଜ୍ୟର ଲୋକସଭା ଓ ବିଧାନସଭା କ୍ଷେତ୍ରର ଲୋକପ୍ରିୟ ବିଜେପି ନେତାଙ୍କ ବାବଦରେ ମଧ୍ୟ ମତାମତ ମାଗିଛନ୍ତି । କୁହାଯାଉଛି, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଟିକେଟ ବଣ୍ଟନରେ ଏହି ସର୍ଭେ ବଡ଼ ଭୂମିକା ଗ୍ରହଣ କରିବ । ଏହାଛଡ଼ା ସରକାରୀ ଯୋଜନା ଓ ଏହାର କାର୍ଯ୍ୟପ୍ରଣାଳୀ ବାବଦରେ ମଧ୍ୟ ଜନତାଙ୍କୁ ଠାରୁ ମତାମତ ମାଗିଛନ୍ତି ମୋଦି । ଏହାପୂର୍ବରୁ ମେ ୨୬ରେ ବିଜେପି ସରକାରର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ କାମକୁ ନେଇ ଜନତାଙ୍କ ଠାରୁ ମତାମତ ନେଇଥିଲେ ।

ନମୋ ଆପରେ ପଚରାଯାଇଥିବା ପ୍ରଶ୍ନ :
• ଆପଣଙ୍କ ଅଞ୍ଚଳର ସାଂସଦ ଓ ବିଧାୟକଙ୍କ କାମରେ ଆପଣ କେତେ ଖୁସି ଅଛନ୍ତି
• ଆପଣଙ୍କ ରାଜ୍ୟ ତଥା ଅଞ୍ଚଳର ୩ ଜଣ ଲୋକପ୍ରିୟ ବିଜେପି ନେତା କିଏ ?
• କେନ୍ଦ୍ର ସରକାର ଓ ଯେଉଁ ବିଜେପି ଶାସିତ ରାଜ୍ୟରେ ସରକାର ପ୍ରଣୟନ କରିଥିବା ଯୋଜନା ମଧ୍ୟରୁ କେଉଁ ତିନୋଟି ଯୋଜନା ଆପଣଙ୍କ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇପାରିଛି
• ଆପଣଙ୍କୁ ଲାଗୁଛି କି ସରକାରୀ କାମ ଖୁବ ଶୀଘ୍ର ହେଉଛି

ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଯେଉଁଭଳି ଭାବେ ଜନତାଙ୍କ ଠାରୁ ବିଧାୟକ ଓ ସାଂସଦଙ୍କ ରିପୋର୍ଟ କାର୍ଡ଼ ମାଗିଛନ୍ତି ତାହା ଦର୍ଶାଉଛି ଯେ, ଜନସାଧାରଣଙ୍କ ବିଶ୍ୱାସ ଜିତିବାରେ ଯେଉଁ ନେତା ସକ୍ଷମ ହେଉଥିବେ ସେହିଭଳି ବିଜେପି ନେତାଙ୍କୁ ୨୦୧୯ରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯିବ । ଏହାପୂର୍ବରୁ ମଧ୍ୟ ମୋଦି ମଝିରେ ମଝିରେ ନିଜ ଦଳୀୟ ସାଂସଦଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ ବାରମ୍ବାର କହୁଥିଲେ । ଯାହାର ପ୍ରଭାବରେ ଅନେକ ବିଜେପି ନେତାଙ୍କୁ ଗରିବ, ଦଳିତ ଲୋକଙ୍କ ଘରେ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷରୁ କମ ସମୟ ଥିବା ବେଳେ ନମୋ ଆପରେ ଜନତା ଦେଇଥିବା ମତାମତ ଉପରେ ଏବେ ବିଜେପି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ଜୁନ ୨୦୧୭ରେ ନମୋ ଆପ ଲଞ୍ଚ କରିଥିଲେ । ସେତେବେଳେ ଲୋକମାନେ ଭାବୁଥିଲେ କି, ସରକାରୀ ଯୋଜନା, ପ୍ରଧାନମନ୍ତ୍ରୀଙ୍କ କାଯ୍ୟକ୍ରମର ସୁଚନା ଦେବା ପାଇଁ ଏହି ଆପ ଲଞ୍ଚ କରାଯାଇଛି । ଏପରିକି ଏହି ଆପ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ମଧ୍ୟ ଦିଆଯାଇପାରିବ । କିନ୍ତୁ ଏହି ଆପ ମାଧ୍ୟମରେ ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ସାଧାରଣ ଲୋକଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରିପାରିବେ ଏହା ଆଦୌ କେହି ଭାବି ନଥିଲେ ।