କଂଟ୍ରୋଲ୍ ଦୋକାନ କ୍ୟାସଲେସ୍ ! ଟଙ୍କିକିଆ ଚାଉଳ ପାଇଁ ହେବନି ନଗଦ କାରବାର

39

କନକ ବ୍ୟୁରୋ : ଏଣିକି ଟଙ୍କିକିଆ ଚାଉଳ ପାଇଁ ହେବ କ୍ୟାସଲେସ ଟ୍ରାଞ୍ଜାକ୍ସନ । କେନ୍ଦ୍ର ସରକାରଙ୍କ କ୍ୟାସଲେସ ଟ୍ରାଞ୍ଜାକ୍ସନ ଯୋଜନାରେ ସାମିଲ ହେବ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ । ସମସ୍ତ କଂଟ୍ରୋଲ ଦୋକାନରେ ପିଓଏସ ମେସିନ ଲଗାଇବାକୁ ଯୋଜନା ଆରମ୍ଭ ହୋଇଛି ।

ପ୍ରାଥମିକ ପର୍ଯ୍ୟାୟରେ ସହରାଂଚଳର ୧୩୧୭ କଂଟ୍ରୋଲ ଦୋକାନରେ ଲାଗିବ ପିଓଏସ ମେସିନ । ୨୦୦ରୁ ଅଧିକ ରାସନ କାର୍ଡ ଥିବା କଂଟ୍ରୋଲ ଦୋକାନୀଙ୍କୁ ଯୋଗାଇ ଦିଆଯିବ ଏହି ପଏଂଟ ଅଫ ସେଲ ମେସିନ । ଆଧାର କାର୍ଡ ସହ ଲିଙ୍କ କରି, ଟିପ ଚିହ୍ନ ଦେବା ପରେ ହିଁ ଖାଦ୍ୟ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ । ଏଟିଏମରୁ ଟଙ୍କା ଉଠାଇବା ପରି ପିଓଏସ ମେସିନରେ ଡେବିଟ କାର୍ଡ ସ୍ୱାଇପ କରି ମଧ୍ୟ ଟଙ୍କା ପୈଠ କରିହେବ । ସେହିପରି ଆଧାର କାର୍ଡ ଲିଙ୍କ ହୋଇନଥିଲେ ମୋବାଇଲ ଫୋନ ନମ୍ବରକୁ ଲିିଙ୍କ କରି ପିଡିଏସ ସାମଗ୍ରୀ ନେଇ ପାରିବେ ହିତାଧିକାରୀ ।

ପିଓଏସ ଲଗାଉଥିବା କଂଟ୍ରୋଲ ଦୋକାନୀଙ୍କୁ କ୍ୱିଂଟାଲ ପିଛା ଅତିରିକ୍ତ ୧୦ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ସହରାଂଚଳରେ ଆସନ୍ତା ଜାନୁିଆରୀ ମାସ ଶେଷ ସୁଦ୍ଧା ଏହି ମେସିନ ଲଗାଇବାକୁ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ଏଥିପାଇଁ ମାଷ୍ଟର ଟ୍ରେନରମାନଙ୍କ ପ୍ରଶିକ୍ଷଣ ଶେଷ ହୋଇଛି । ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଯୋଗାଇ ଦିଆଯାଉଥିବା ପିଡିଏସ ସାମଗ୍ରୀର ବାଟମାରଣାକୁ ସଂପୂର୍ଣ୍ଣ ରୋକିହେବ ବୋଲି ଆଶା କରାଯାଉଛି ।

ପିଓଏସ ମେସିନକୁ ଟ୍ୟାମ୍ପରିଂ କରିହେବ ନାହିଁ । ଏପରିକି ଟ୍ୟାମ୍ପରିଂ କରିଥିବା ବ୍ୟକ୍ତିଙ୍କ ଫଟୋ ସହ ଟ୍ୟାମ୍ପରିଂ ସମୟ ମଧ୍ୟ ମେସିନରେ ରେକର୍ଡ ହୋଇ ରହିବ । କେନ୍ଦ୍ର ସରକାରଙ୍କ କ୍ୟାସଲେସ ଯୋଜନାରେ ଏହା ଆଉଏକ ପର୍ଦ୍ଦ ଯୋଡିବା ସହ ବାଟମାରଣା ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ରୋକ ଲଗାଇବାରେ ସହାୟକ ହେବ ।