ପବଜୀ ଗେମ୍ ଖେଳିବାକୁ ମନା କଲେ ବୋଲି… । ନିଜ ଅପହରଣର ମିଛ ନାଟକ ରଚିଲେ, ବାପା-ମା’ଙ୍କୁ ୩ ଲକ୍ଷ ଟଙ୍କା ମାଗିଲେ ୧୬ ବର୍ଷର ବାଳକ

329

ପବଜୀ ଗେମ୍ ପାଇଁ ଏଭଳି ପାଗଳାମୀ ଆପଣ ପୂର୍ବରୁ କେବେ ଶୁଣିନଥିବେ । ପାଠ ପଢ଼ା ଛାଡ଼ି ପବଜୀ ଗେମ୍‌ ଖେଳିବାରେ ବ୍ୟସ୍ତ ରହୁଥିଲେ ୧୬ବର୍ଷୀୟ ବାଳକ । ଏଭଳି ଅଭ୍ୟାସକୁ ଦୂର କରିବା ପାଇଁ ବାଳକର ମାତା-ପିତା ତାଙ୍କର ଫୋନ ଛଡ଼ାଇ ନେଇଥିଲେ । କିନ୍ତୁ ଏଭଳି କରିବା ପରେ ତାଙ୍କ ପୁଅ କେତେ ବଡ଼ ପଦକ୍ଷେପ ନେବ, ତାହା ସେମାନଙ୍କୁ ଜଣା ନଥିଲା । ରାଗରେ ସେ ନିଜ ଅପହରଣର ମିଛ ନାଟକ କରିବା ସହ ମାତା-ପିତାଙ୍କଠାରୁ ୩ଲକ୍ଷ ଟଙ୍କା ମାଗିବା ଭଳି କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାରେ ଥିବା ପୁପ୍ପଲଗୁଡ଼ା ଗାଁରେ ଘଟିଛି ।

ସୂଚନା ମୁତାବକ, ନାବାଳକ ଜଣକ ଜଣେ ଭଲ ଛାତ୍ର ଥିବା ସହ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ କିଛି ମାସ ମଧ୍ୟରେ ତାଙ୍କର ମାର୍କ ଧିରେ ଧିରେ କମିବାକୁ ଲାଗିଥିଲା । ସବୁବେଳେ ପବଜୀ ଗେମ୍‌ ଖେଳୁଥିବା ଦେଖି ନାବାଳକଙ୍କ ମା’ ତାଙ୍କଠାରୁ ଫୋନ ଛଡ଼ାଇ ନେଇଥିଲେ । ଅକ୍ଟୋବର ୧୧ରେ ଘରୁ ଜଣେ ବନ୍ଧୁକୁ ଦେଖା କରିବାକୁ ଯାଉଛି ବୋଲି କହି ନାବାଳକ ଘରୁ ବାହାରିଥିବା ବେଳେ ଆଉ ଫେରି ନଥିଲେ । ବାଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଫୋନ ସାହାଯ୍ୟରେ ସ୍ୱର ବଦଳାଇ ନିଜ ଘରକୁ ଫୋନ କରିଥିଲେ ନାବାଳକ । ତୁମ ପୁଅକୁ ଅପହରଣ କରି ନେଇଛୁ ଏବଂ ଫେରି ପାଇବାକୁ ହେଲେ ଆମକୁ ୩ଲକ୍ଷ ଟଙ୍କା ଦରକାର ବୋଲି ନିଜ ମାତା-ପିତାଙ୍କୁ ଜଣାଇଥିଲେ ନାବାଳକ । ଯାହା ପରେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ ।

ଘର ଲୋକଙ୍କୁ ଫୋନ କରିବା ପରେ ନାବାଳକଜଣଙ୍କ ଗୋଟେ ଭୁଲ କରି ଦେଇଥିଲେ, ଯାହା ତାଙ୍କର ପୂରା ନାଟକର ପର୍ଦ୍ଦାଫାସ କରିଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ରହୁଥିବା ଜେଜେ ମା’ ଓ ଜେଜେ ବାପାଙ୍କ ପାଖକୁ ଯିବା ପାଇଁ ନାବାଳକ ଜଣଙ୍କ ଟ୍ରେନ୍‌ ଟିକେଟ କାଟିଥିଲେ । ଯାହାର ମେସେଜ ତାଙ୍କ ମା’ଙ୍କ ଫୋନକୁ ଯାଇଥିଲା । ପୁଲିସ ଆସିଥିବା ମେସେଜ୍‌ ଆଧାରରେ ନାବାଳକକୁ ଉଦ୍ଧାର କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଲିସ ନାବାଳକକୁ ମାତା-ପିତାଙ୍କୁ ହସ୍ତାନ୍ତର କରିବା ସହ ମାନସିକ ଚିକିତ୍ସା କରାଇବା ପାଇଁ ଉପଦେଶ ଦେଇଛନ୍ତି ।