ମାଲକାନଗିରିର କୋତାମାଟେରୁ ଅଂଚଳରେ ସିମେଣ୍ଟ କାରଖାନା ସ୍ଥାପନା ପାଇଁ ପ୍ରସ୍ତାବ ! କାରଖାନା ଆରମ୍ଭ ପୂର୍ବରୁ ଗ୍ରାମବାସୀଙ୍କ ବିରୋଧ

31

କନକ ବ୍ୟୁରୋ : ସର୍ଭେ ଆରମ୍ଭ ନ ହୋଉଣୁ ବିରୋଧ ଆରମ୍ଭ । ଶିଳ୍ପବିହୀନ ମାଲକାନଗିରି ଜିଲ୍ଲାରେ ପୋଡିଆ ବ୍ଲକ ଅନ୍ତର୍ଗତ କୋତାମାଟେରୁ ଅଂଚଳରେ ଏକ ସିମେନ୍ଟ କାରଖାନା ସ୍ଥାପନ କରିବା ନେଇ ପ୍ରସ୍ତାବ ରହି ଥିବା ବେଳେ ଏଥିପାଇଁ ସର୍ଭେ କାମ ଆରମ୍ଭ ହୋଇଛି । ଏଯାଏଁ କୌଣସି ସ୍ଥାୟୀ ନିଷ୍ପତି କିମ୍ବା ଜମି ଅଧିଗ୍ରହଣ ଆରମ୍ଭ ହୋଇ ନଥିବା ବେଳେ ଗ୍ରାମବାସୀଙ୍କ ବିରୋଧ ଏବେ ଉଗ୍ରରୂପ ଧାରଣ କରିବାରେ ଲାଗିଛି । କୋତାମାଟେରୁ ଜଙ୍ଗଲରେ ୬ ଟି ପଂଚାୟତର ହାଜର ହଜାର ଲୋକେ ଏକ ପ୍ରଜାମେଳି ର ଆୟୋଜନ କରି ପ୍ରସ୍ତାବିତ ସିମେଂଟ କାରଖାନାକୁ ତୀବ୍ର ବିରୋଧ କରିଛନ୍ତି । ମରିଯିବେ ପଛେ ନିଜ ଭିଟାମାଟି ଛାଡିବେ ନାହିଁ ବୋଲି ଚେତେଇ ଦେଇଛନ୍ତି କୋୟା ସମ୍ପ୍ରଦାୟର ଆଦିବାସୀ ମାନେ ।

ଘଂଚ ଜଙ୍ଗଲ ଭିତରେ ପ୍ରଜାମେଳି । କୋତାମାଟେରୁ ଅଂଚଳରେ ଏକ ସିମେଂଟ କାରଖାନା ସ୍ଥାପନ ହେବା ନେଇ ଦୀର୍ଘ ବର୍ଷ ଧରି ପ୍ରସ୍ତାବ ରହିଛି । ଏବେ ପ୍ରସ୍ତାବିତ ସିମେଂଟ କାରଖାନା ନେଇ ପ୍ରାଥମିକ ସର୍ଭେ ଆରମ୍ଭ ହୋଇ ଥିବା ବେଳେ ଜଙ୍ଗଲ ଭିତରେ ସର୍ଭେ କାମ ଦେଖି ଉତକ୍ଷିପ୍ତ ହୋଇ ପଡିଛନ୍ତି ସ୍ଥାନୀୟ ଆଦିବାସୀ । ସିମେଂଟ କାରଖାନାକୁ ପ୍ରଥମେ କୋତାମାଟେରୁ ଗ୍ରାମ ପଂୟାତବାସୀ ବିରୋଧ କରୁଥିବା ବେଳେ ଏହି ବିରୋଧର ନିଆଁ ଆଖପାଖର ୬ ଟି ପଂଚାୟତକୁ ବ୍ୟାପୀବାରେ ଲାଗିଛି । ଗତକାଲି କୋତାମାଟେରୁ ଗାଁ ମୁଣ୍ଡରେ ଏକ ବିଶାଳ ପ୍ରଜାମେଳିର ଆୟୋଜନ କରାଯାଇ ଥିବା ବେଳେ ମାଟେରୁ ସମେତ ମାଟାପାକା, ନିଲିଗୁଡା, ସିଖପାଲି, ଗୋରାଖୁନ୍ଟା ଆଦି ପଂଚାୟତର ୨ ହଜାରର ଉର୍ଦ୍ଧ ଆଦିବାସୀ ଏହି ପ୍ରଜାମେଳିରେ ଯୋଗ ଦେଇଥିଲେ । ମରିବେ ଓ ମାରିବେ ପଛେ ନିଜ ଭିଟା ମାଟି, ଜଳ, ଜମି ଓ ଜଙ୍ଗଲ କୁ ଛାଡିବେନାହିଁ ବୋଲି ଚେତାଇ ଦେଇଛନ୍ତି କୋୟା ସମ୍ପ୍ରଦାୟର ଅଦିବାସୀମାନେ ।

ଗ୍ରାମବାସୀଙ୍କ ତଥ୍ୟ ଅନୁଯାଇ ପଡିଆ ବ୍ଲକ ନିଲିଗୁଡା ଓ ମାଟେରୁ ବ୍ଲକ ସମେତ ମାଲକାନଗିରି ବ୍ଲକ ମାଟାପାକା ପାଂୟତର ୪୨ ଗାଁ ର ପ୍ରାୟ ୧୭୮୨ ହେକ୍ଟର ଏହି ପ୍ରସ୍ତାବିତ ସିମେନ୍ଟ କାରଖାନା ଦ୍ୱାରା ପ୍ରଭାବିତ ହବ । ଏଥିପାଇଁ ଡାଲମିଆ ସିମେଂଟ, ଚୁନ ପଥର ଖନନ ଲାଗି ଆବେଦନ କରି ଥିବା ଜଣା ପଡିଛି । ତେବେ ଏ ନେଇ ପ୍ରଶାସନ କିମ୍ବା ଜଙ୍ଗଲ ବିଭାଗ ତରଫରୁ ଏ ଯାଏଁ କୌଣସି ଆନୁଷ୍ଠାନିକ ସର୍ଭେ କିମ୍ବା ଗ୍ରାମସଭା ଯାଏଁ କଥା ଆଗେଇ ନଥିବା ପ୍ରଶାସନ ଓ ଜଙ୍ଗଲ ବିଭାଗ ତରଫରୁ ସୂଚନା ମିଳିଛି । ତେବେ କୌଣସି ମତେ ସିମେଂଟ କାରଖାନାକୁ ହେବାକୁ ଦେବେ ନାହିଁ ବୋଲି ଚେତାଇ ଦେଇଛନ୍ତି ଆନ୍ଦୋଳନର ନେତୃତ୍ୱ ନେଉ ଥିବା ଆଦିବାସୀ ନେତାଏଁ । ଶିଳ୍ପବିହୀନ ମାଲକାନଗିରି ଜିଲ୍ଲାରେ ଏ ଯାଏଁ କୌଣସି କଳ କାରଖାନା ନାହି । ତେବେ ଏହି ସିମେଂଟ କାରଖାନାକୁ ଜିଲ୍ଲାର ଅର୍ଥନୈତିକ ଓ ନିଯୁକ୍ତି ଦୃଷ୍ଟକୋଣରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ତେବେ ଆରମ୍ଭ ନ ହେଉଣୁ କାହିଁକି ବିବାଦ ମୁଣ୍ଡ ଟେକୁଛି ଏବଂ ନିରୀହ ଆଦିବାସୀଙ୍କୁ ମତଉଛି କିଏ ? ତାହାକୁ ନେଇ ଉଠିଛି ପ୍ରଶ୍ନ ।