ଆଉ ତଳେ ବସିବେନି ସ୍କୁଲ ଛାତ୍ରଛାତ୍ରୀ ! ଆରମ୍ଭ ହେଲା ‘ଆସନ’ ଯୋଜନା, ସମସ୍ତଙ୍କ ପାଇଁ ହେବ ଚେୟାର ଓ ଟେବୁଲର ବ୍ୟବସ୍ଥା

29

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ପିଲାଙ୍କ ପାଇଁ ଖୁସିଖବର । ଏଣିକି ଶ୍ରେଣୀରେ ଆଉ ତଳେ ବସିବେନି ଛାତ୍ରଛାତ୍ରୀ । ପିଲାଙ୍କ ପାଇଁ ସ୍ୱାସ୍ଥ୍ୟକର ପରିବେଶ ସହ ଚେୟାର ଟେବୁଲ ଓ ଆସନର ବ୍ୟବସ୍ଥା ହେବ । ଗୁରୁଦିବସରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ- ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ଆରମ୍ଭ ହୋଇଛି ‘ତଳେ ବସିବାକୁ ନା’ କାର୍ଯ୍ୟକ୍ରମ । ହିଂଜିଳିକାଟୁର ପୋଚିଲିମା ପ୍ରାଥମିକ ବିଦ୍ୟାଳୟ ଓ ବ୍ରହ୍ମପୁର ହିଲପାଟଣା ସ୍ଥିତ ବାଳିକା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।


ଏହି ଯୋଜନା ଦ୍ୱାରା ଶ୍ରେଣୀରେ ଉନ୍ନତ ମାନର ପାଠପଢା, ସ୍ୱାସ୍ଥ୍ୟକର ପରିବେଶ ସହ ଚେୟାର ଟେବୁଲ ଓ ଆସନର ବ୍ୟବସ୍ଥା କରାଯିବ । ପିଲାଙ୍କୁ ପାଠପଢା ଦିଗରେ ଅଧିକ ଆକର୍ଷିତ କରିବାକୁ ଏହି କାର୍ଯ୍ୟକ୍ରମ ସକ୍ଷମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଯୋଜନାକୁ ଆଗାମୀ ଦିନରେ ଜିଲ୍ଲାରେ ଥିବା ୪ ହଜାର ବିଦ୍ୟାଳୟରେ ଲାଗୁ କରାଯିବ । ଆଉ ଏଥିପାଇଁ ରାଜ୍ୟ ସରକାରଙ୍କ ଅର୍ଥ ସହ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଲୋଡାଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ଛାତ୍ରଛାତ୍ରୀ ମାନେ ତଳେ ବସି ପାଠ ପଢିବା ଦ୍ୱାରା ପୋଷାକ ଖରାପ ହେବା ସହ ପାଠପଢିବା ପାଇଁ ମଧ୍ୟ ଅସୁବିଧା ହେଉଥିଲା । ତେଣୁ ଜିଲ୍ଲାପାଳଙ୍କ ଏଭଳି ନିଷ୍ପତିକୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଛନ୍ତି ।