ରାଜଧାନୀରେ ହିଟ୍ ଆଣ୍ଡ ରନ୍ ! ବିଜେଡି ବିଧାୟକଙ୍କ କଂପାନୀ ଗାଡି ଧକ୍କା କରି ଉଭାନ୍

21

କନକ ବ୍ୟୁରୋ : ବିଜେଡିର ପ୍ରଭାବଶ।।ଳୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାରିବାରିକ କମ୍ପାନୀର ଗାଡି, ଓୟୁଏଟିର ଜଣେ ଛାତ୍ରୀଙ୍କୁ ଧକ୍କା ମାରି ଉଭାନ ହୋଇଯାଇଛି । ଘଟଣାସ୍ଥଳରେ ଏମସିଏ ତୃତୀୟ ବର୍ଷରେ ପାଠପଢୁଥିବା ଜଣେ ଛାତ୍ରୀ ସୁଚିସ୍ମୀତାଙ୍କ ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ଭାବେ ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି । ଘଟଣାକୁ ନେଇ ଓୟୁଏଟି ପରିସରରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଏହା ସହ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା ।

ତେବେ ଏହି ଦୁର୍ଘଟଣା କେମିତି ଘଟିିଲା ତାହା ହିଁ ସବୁଠାରୁ ଗମ୍ଭୀର ବିଷୟ । ପାରିପାର୍ଶ୍ୱିକ ସୂଚନା ଅନୁସାରେ ସଫାରୀରେ ବସିଥିବା ଯୁବକ ମାନେ ମଦ ପିଇବା ସହ ନିିଶାରେ ଏହି ଦୁର୍ଘଟଣା ଘଟାଇଥିବା କୁହାଯାଉଛି ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଏହି ସଫାରୀ ଗାଡିଟି ହେଉଛ ସିଦ୍ଧାର୍ଥ କନଷ୍ଟ୍ରକସନର । ଆଉ ଏହି କମ୍ପାନୀର ମାଲିକ ହେଉଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପରିବାର ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ସଫାରୀ ଗାଡିର ଡ୍ରାଇଭର୍ ଓ ଅନ୍ୟମାନେ ଦୁର୍ଘଟଣା ଘଙ୍କାଇବା ପୂର୍ବରୁ କମେଂଟ୍ କରିଥିଲେ ଓ ମଦ ପିଇଥିଲେ । ଏବଂ ଭୁଲ ରାସ୍ତାରେ ଆସି ଦୁର୍ଘଟଣା ଘଟାଇଥିଲେ । ଯଦି ଏହା ସତ ହୋଇଥାଏ ତେବେ ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ

ତେବେ ଦୁର୍ଘଟଣା ଘଟାଇବା ପରେ ଗାଡିଟି କୁଆଡେ ପବନ ବେଗରେ ଅନ୍ତର୍ଦ୍ଧାନ ହୋଇଯାଇଥିଲା । କିଏ ଚଳାଉଥିଲା , କେଉଁମାନେ ଗାଡିରେ ବସିଥିଲେ, ସେ ନେଇ ପୁଲିସ୍ ପାଖରେ କୌଣସି ତଥ୍ୟ ନାହିଁ । ତେବେ ଗାଡିଟି ଜବତ ହୋଇଛି ।

ପ୍ରଶ୍ନ ଉଠୁଛି ଯଦି ଗାଡିଟି ଜବତ ହୋଇପାରିଲା ତେବେ ଗାଡି କିଏ ଚଳାଉଥିଲା ଓ ସେଥିରେ ଅନ୍ୟ କେଉଁମାନେ ଥିଲେ ସେ ବିଷୟରେ କେମିତି ପୁଲିସ୍ ତଥ୍ୟ ପାଇପାରୁନାହିଁ । ନା ବିଜେଡି ବିଧାୟକଙ୍କ ଚାପ ଆଗରେ ଚୁପ୍ ବସିଯାଇଛି ପୁଲିସ୍ ।

ସେପଟେ କମିଶନରେଟ ପୁଲିସ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଘରେ ପଂହଚି ଛାନ୍ଭିନ୍ କରିଛି । ଗାଡି କିଏ ଚଳାଉଥିଲା ସେନେଇ ଅନୁସନ୍ଧାନ କରୁଛି ପୁଲିସ ।