ରାସ୍ତାରେ ପଡିଲା ପନିପରିବା ! କୃଷିଗତ ଦ୍ରବ୍ୟର ଅଭାବୀ ବିକ୍ରି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ

25

କନକ ବ୍ୟୁରୋ : ଯାଜପୁର ଜିଳ୍ଲା ଚଣ୍ଡିଖୋଲରେ ନବ ନିର୍ମାଣ କୃଷକ ସଂଗଠନରେ ଅଭିନବ ପ୍ରତିବାଦ । କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରିର ପ୍ରତିବାଦ କରିଛନ୍ତି ଶହ ଶହ ଚାଷୀ । ରାସ୍ତା ଉପରେ ମୁଗ, ବିରି, ଚିନାବାଦମ ସମେତ ପନିପରିବା ଢ଼ାଳି ପ୍ରତିବାଦ କରିଛନ୍ତି । ଏମିତିକି ଦୀର୍ଘ ସମୟ ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପ୍ରାଇସ୍, ପ୍ରେସଟିଜ୍ ଏବଂ ପେନସନ୍ ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଂଗଠନ, ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୁଲ୍ୟ ଦାବିରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ରାଜରାସ୍ତାକୁ ଅବରୋଧ କରିଥିଲା । ଦୀର୍ଘ ମାସେ ଆଗରୁ ଜିଳ୍ଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନହେବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା ନବ ନିର୍ମାଣ କୃଷକ ସଂଗଠନ ।

ଚାଷୀଙ୍କ ଆନ୍ଦୋଳନ ଜୋରଦାର ହେବାରୁ ଘଟଣାସ୍ଥଳରେ ପହଂଚିଥିଲେ ଜିଲ୍ଲାପାଳ । ଚାଷୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ କହିଥିଲେ । ଆଉ ପ୍ରତିଶ୍ରୁତି ପାଇ ଆନ୍ଦୋଳନକୁ ପ୍ରତ୍ୟାହାର କରିଛି ନବ ନିର୍ମାଣ କୃଷକ ସଂଗଠନ । କୃଷିଜାତ ଦ୍ରବ୍ୟ ପ୍ରସଙ୍ଗରେ କିଛି କରିପାରିବି ନାହିଁ ବୋଲି ସମବାୟ ମନ୍ତ୍ରୀ ସୂଯ୍ୟନାରାୟଣ ପାତ୍ର କହିଥିବା ବେଳେ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ନେଇ ରଖିଛନ୍ତି ବିତଣ୍ଡା ଯୁକ୍ତି ।

ନବନିର୍ମାଣ କୃଷକ ସଂଗଠନର ଏହି ପ୍ରତିବାଦକୁ ସମର୍ଥନ କରିଛି କଂଗ୍ରେସ । ଦଳର ମୁଖ୍ୟ ସଚେତକ କହିଛନ୍ତି- ନବୀନ ସରକାର ଲୋକଦେଖାଣିଆ ଭାବରେ କେବଳ ମିଶନ କରୁଛନ୍ତି, ଚାଷୀଙ୍କ ପ୍ରତି ସରକାରଙ୍କ ଧ୍ୟାନ ହିଁ ନାହିଁ । ସେହିପରି ବିଜେପି କହିଛି- ସରାକାରଙ୍କ ଅପାରଗତା ଯୋଗୁଁ ଚାଷୀ ଏବଂ ଖାଉଟୀ ଘୋଷିତ ହେଉଛନ୍ତି ।

ଏବେ ପ୍ରଶ୍ନ ଉଠୁଛି :

-ମାର୍କଫେଡ ଏବଂ ନାଫେଡକୁ ଆଳ କରି ସରକାର ନିଜ ଦାୟିତ୍ୱରୁ ଓହରି ଯାଉଛନ୍ତି କି ?

-କୃଷିଜାତ ଦ୍ରବ୍ୟର ସଂରକ୍ଷଣ ଏବଂ ଅଭାବି ବିକ୍ରି ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବା ଉଚିତ ନା’ ନାହିଁ ।

ଏହି ସବୁ ପ୍ରଶ୍ନ ଭିତରେ ଆସନ୍ତା ୨୨ ତାରିଖରେ ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ଦେଖିବାର କଥା ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ କେଉଁ ରାସ୍ତା ଆପଣାଉଛି ଜିଲ୍ଲା ପ୍ରଶାସନ ।