ପ୍ରତିବାଦ କରିବାର ନୂଆ ତରିକା ! ରାସ୍ତାରେ ଟମାଟୋ ପକାଇ ଗୋଡ଼ରେ ଦଳିଲେ ଚାଷୀ

30

କନକ ବ୍ୟୁରୋ : ଟମାଟୋର ଅଭାବି ବିକ୍ରିକୁ ନେଇ ସାରା ରାଜ୍ୟରୁ ଯେଉଁ ଘଟଣା ସାମ୍ନାକୁ ଆସୁଛି ତାହା ଚିନ୍ତା କଲାଭଳି । କିଲୋ ୨ଟଙ୍କାରେ ବିକ୍ରି ହେଉଥିବାରୁ ନାଲି ଟମାଟୋର ଯେ, ଚାହିଦା ନାହିଁ ଏକଥା ସ୍ପଷ୍ଟ ହୋଇଯାଇଛି । ହେଲେ ଧାର ଉଧାର କରି ଏକର ଏକର କିଆରିରେ ବିଲାତି ଫଳାଇଥିବା ଚାଷୀ ଏବେ କରିବେ କଣ । ଶୀତଳଭଣ୍ଡାର ଓ ବଜାର ଅଭାବ ଦର୍ଶାଇ ପ୍ରତିବାଦକୁ ଓହ୍ଲାଇଛନ୍ତି । ବଲାଙ୍ଗିରରେ ରାସ୍ତାରେ ବିଲାତି ଢାଳି ବିକ୍ଷୋଭ କରିଛନ୍ତି ଚାଷୀ ।

ରାତିଦିନ ଏକ କରି କ୍ଷେତରେ ଫଳାଇଥିବା ଫସଲକୁ ରାସ୍ତାରେ ଫିଙ୍ଗିଦେଉଛନ୍ତି ଚାଷୀ । ଯାହା ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶାକୁ ହିଁ ବୟାନ କରୁଛି । ଫସଲ କରିବା ପାଇଁ ଯେତିକି ଖର୍ଚ୍ଚ ହେବ, ଅମଳ ପରେ ଯଦି ସେତିକି ମୂଲ୍ୟ ନମିଳିବ ତାହାହେଲେ ଜଣେ ଅସହାୟ ଚାଷୀ ତାର ଦୁଃଖ କାହାକୁ ଜଣାଇବ । ଯେଉଁ ଟମାଟୋ କିଲୋପିଛା ଉତ୍ପାଦନ ଖର୍ଚ୍ଚ ପ୍ରାୟ ୭ଟଙ୍କା ତାକୁ ମାତ୍ର ୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଲାଭକଥା ଛାଡନ୍ତୁ କିଲୋପିଛା ୫ଟଙ୍କା କ୍ଷତି ସହୁଥିବା ଚାଷୀ ନିଜ ଦୁଃଖ ପ୍ରଶାସନ ଓ ସରକାରଙ୍କ କାନରେ ପହଂଚାଇବାକୁ ଏଭଳି ପ୍ରତିବାଦର ରାସ୍ତା ବାଛି ନେଇଛନ୍ତି ।

ଚାଷୀଙ୍କ ଅଭିଯୋଗ ଟମାଟୋକୁ ସାଇତି ରଖିବା ଓ ବଜାରରେ ବିକ୍ରି କରିବା ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି । ପ୍ରତି ବ୍ଲକରେ ଶୀତଳଭଣ୍ଡାର ଓ ପଂଚାୟତରେ କୃଷକ ବଜାର ଖୋଲିବାକୁ ସରକାରଙ୍କ ଘୋଷଣା କେବଳ ଘୋଷଣାରେ ରହିଛି ଯାହାର ପରିଣାମ ଭୋଗୁଛନ୍ତି ହଜାର ହଜାର ଚାଷୀ ପରିବାର ।

କିଛିଦିନ ପୂର୍ବେ ଗଞ୍ଜାମରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ୨୫ କିଲୋ ଟମାଟୋ କ୍ୟାରେଟକୁ ୨୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଅର୍ଥାତ ଟମାଟୋ କିଲୋକୁ ୧ଟଙ୍କା । ଅଭାବୀ ବିକ୍ରି ଫଳରେ ଚାଷୀ ମଜୁରୀ ଲଗାଇ ବିଲରୁ ବିଲାତି ତୋଳିବାକୁ ନାରାଜ । ଫଳରେ ଲୋକେ ଟମାଟୋ ମାଗଣାରେ ନେଉଛନ୍ତି ନହେଲେ ଗୋରୁଗାଇ ପଶି ଖାଉଛନ୍ତି । ଏଭଳି ସ୍ଥିତି ଲାଗିରହିଲେ ମନିପରିବା ଚାଷ ପ୍ରତି ଆଉ ଆଗ୍ରହ ଦେଖାଇବେ ତ ଚାଷୀ?