ପେଟ୍ରୋଲ ପାଇଁ ପ୍ରତିବାଦ । ତେଲଦର ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇବ ଯୁବ ବିଜେଡି

55

କନକ ବ୍ୟୁରୋ : ୭୧ ଟପିଲା ପେଟ୍ରୋଲ ଦର । ରାଜଧାନୀରେ ଏବେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ପାର୍ କରିଛି । ଡିଜେଲର ଦର ବି ବୃଦ୍ଧି ପାଇଛି । ରାଜ୍ୟରେ ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି । ଆଜି ଯୁବ ଓ ଛାତ୍ର ବିଜେଡି ରାଜଧାନୀରେ କରିବ ପ୍ରତିବାଦ ସମାବେଶ । ଗତ ତିନି ବର୍ଷ ଭିତରେ ତୈଳ ଦର ସବୁଠାରୁ ଅଧିକ ରହିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଅନୁପାତରେ ଏହା ଯଥେଷ୍ଟ ଅଧିକ ବୋଲି ଯୁକ୍ତି ଦର୍ଶାଇଛି ବିଜେଡି । ତୈଳ କମ୍ପାନୀ ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି କେନ୍ଦ୍ର ସରକାର, ଫଳରେ ସାଧାରଣ ଜନତା ହଇରାଣ ହେଉଥିବା ବିଜେଡି ଅଭିଯୋଗ କରିଛି ।

ଶ୍ରୀ ଦାସବର୍ମା କହିଥିଲେ, କେନ୍ଦ୍ର ସରକାର ନିୟମିତ ବ୍ୟବଧାନରେ ତୈଳ ଦର ବଢ଼ାଇ ଚାଲିଛନ୍ତି। ବର୍ତ୍ତମାନ ତୈଳ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ ହୋଇଛି ଏବଂ ଏହି ରେକର୍ଡ ଆଗାମୀ ଦିନରେ ପୁଣି ଭାଙ୍ଗି ନୂଆ ରେକର୍ଡ ହେବ। କେନ୍ଦ୍ର ବିଜେପି ସରକାରଙ୍କ ଗତିବିଧିରୁ ଏହା ଜଣାପଡୁଛି। ଏହା ନିତ୍ୟ ବ୍ୟବହାର ସାମଗ୍ରୀ ଉପରେ ବିଶେଷ ପ୍ରଭାବ ରଖୁଛି ଓ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ଛାତ୍ର, ଯୁବ ସବୁ ବର୍ଗକୁ ଏହା ବାଧୁଛି।

ଶ୍ରୀ ଦାସବର୍ମା କହିଥିଲେ, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଟପିଥିଲା ବେଳେ ଡିଜେଲ୍ ଦର ୬୬ ଟଙ୍କା ଟପିଯାଇଛି। କେନ୍ଦ୍ର ସରକାର ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍ ଉତ୍ପାଦ ଶୁଳ୍କରେ ୯ଥର ବୃଦ୍ଧି ଘଟାଇଛନ୍ତି। ଏଥିନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲେ ହେଁ କେନ୍ଦ୍ର ସରକାର ନିଦା ବିଷ୍ଣୁ ପରି ବସିଛନ୍ତି। ଏହାକୁ ବିରୋଧ କରି ବିଜୁ ଯୁବ-ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ରାଜ୍ୟ ସଭାପତି ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ଛାତ୍ର ଉପଦେଷ୍ଟା ଚିନ୍ମୟ ସାହୁ, ଯୁବ ବିଜେଡି ଉପ-ସଭାପତି ଦୁର୍ଗା ସାମନ୍ତରାୟ, ଛାତ୍ର ବିଜେଡି କାର୍ୟ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍ ସେନାପତି ଉପସ୍ଥିତ ଥିଲେ।