କୁନ୍ଦୁଲି ନ୍ୟାୟରେ ଓଡ଼ିଶା ବନ୍ଦ । ରାଜରାସ୍ତାରେ ଜଳିଲା ପ୍ରତିବାଦର ନିଆଁ

24

କନକ ବ୍ୟୁରୋ : ରାଜରାସ୍ତାରେ ଜଳୁଛି ପ୍ରତିବାଦର ନିଆଁ । ଅନ୍ୟାୟ ସହ ଲଢ଼ି ଲଢ଼ି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିବା କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବାହାରି ଆସିଛନ୍ତି ବିଜେପି ଓ କଂଗ୍ରେସ । ମାଁକୁ ସମ୍ମାନର ନାରା ଦେଉଥିବା ଶାସକ ବିଜେଡିର ବିଫଳତାକୁ ଲୋକଙ୍କ ପାଖରେ ପହଂଚିବା ପାଇଁ ଓଡ଼ିଶା ବନ୍ଦର ବାଟକୁ ବାଛି ନେଇଛନ୍ତି ବିରୋଧୀ । ଆଉ ଏହି ମାଧ୍ୟମ ଭିତରେ କେଉଁଠି ଭଙ୍ଗାରୁଜା ହୋଇଛି, ତ ଆଉ କେଉଁଠି ଧସ୍ତାଧସ୍ତି ଓ ମୁହାଁମୁହିଁ ।

ସରକାର ବିରୋଧୀ ନାରାବାଜି ଭିତରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବାଟ ଓଗାଳିବାକୁ ଚେଷ୍ଟା କରିଛି ତ, ଜଗତସିଂହପୁରରେ ସରକାରୀ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛି । ପୁରୀ ଓ ପିପିଲିରେ ପୁଣି ଦେଖିବାକୁ ମିଳିଛି ରାଜନୈକିତ ଦଳ ଭିତରେ ଖଣ୍ଡ ଯୁଦ୍ଧ । ବଡ ଦାଣ୍ଡରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ପିପିଲିରେ କଂଗ୍ରେସ ସହ ଭିଡିଛି ଭାରତୀୟ ଜନତା ପାର୍ଟି ।

ଆଦର୍ଶର ମୁଖ୍ୟମନ୍ତ୍ରୀର ପୁରସ୍କାର ନେଇ ସଫଳତାର ବାର୍ତା ବଖାଣୁଥିବା ମୁଖ୍ୟମନ୍ତ୍ରୀଙ୍କ ଆଗରେ କୁନ୍ଦୁଲିର କାହାଣୀର ରଖି ବିରୋଧୀ ବିଜେପି ଓ କଂଗ୍ରେସ, ଶାସକ ଦଳକୁ କାଠଗଡ଼ାକୁ ଟାଣିବାକୁ ଚେଷ୍ଟା କରିଛନ୍ତି । ବିଜେଡି କିନ୍ତୁ ଏହାକୁ ଶବ ଉପରେ ରାଜନୀତି କରାଯାଉଛି ବୋଲି କହିଛି ।ଶାସକ ବିଜେଡି, ଘଟଣାକୁ ନେଇ ରାଜନୀତି ହେଉଥିବା ଅଭିଯୋଗ କରୁଥିବା ବେଳେ ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ ଶାସକ ଦଳକୁ ଦାୟୀ କରିିଛି ଉଭୟ କଂଗ୍ରେସ ଓ ବିଜେପି । ଆଉ ଏହାରି ଭିତରେ ସ୍କୁଲ-କଲେଜ, ଦୋକାନ ବଜାର ବନ୍ଦ ରହିଥିବା ବେଳେ ଠପ୍ ହୋଇଯାଇଛି ଓଡ଼ିଶା ।