ଲାଲବାହିନୀକୁ ଲଲକାର୍ ! ମାଲକାନଗିରି ସୀମା ତୁଳସୀ ପାହାଡ ତଳେ ଏକାଠି ହେଲେ ୩୦ ଗାଁର ବାସିନ୍ଦା

33

କନକ ବ୍ୟୁରୋ : ମାଓବାଦୀଙ୍କ ଗଡରେ ପ୍ରଜାଙ୍କ ମେଳି । ଲାଲବାହିନୀ ବିରୋଧରେ ଏକାଠି ହୋଇଛନ୍ତି ୩୦ ଟି ଗାଁର ହଜାର ହଜାର ଲୋକ । ନକ୍ସଲଙ୍କ ଉତ୍ପାତରେ ଅତିଷ୍ଠ ଗ୍ରାମବାସୀ ଦେଇଛନ୍ତି ମାଓ ବିରୋଧୀ ଅହ୍ୱାନ । ସୀମା ଏପଟେ ମାଲକାନଗିରି ଆରପଟେ ଛତିଶଗଡ । ଆଉ ସୀମାକୁ ଲାଗି ରହିଥିବା ତୁଳସୀ ପାହାଡର ପାଦଦେଶରେ ଏକାଠି ହୋଇଛନ୍ତି ନୀରିହ ଗ୍ରାମବାସୀ । ମାଓ ଅଧ୍ୟୁଷିତ ଅଂଚଳରେ ମାଓବାଦୀ କରନ୍ତି ପ୍ରଜାମେଳି ହେଲେ ମାଓବାଦୀଙ୍କ ବିରୋଧରେ ଲୋକଙ୍କ ଏହି ମହାମେଳି ପ୍ରଥମ ଘଟଣା ।

ସୀମାନ୍ତରେ ବସିଥିଲା ମେଳି ଆଉ ସାମିଲ ହୋଇଥିଲେ ଦୁଇ ରାଜ୍ୟର ପ୍ରଜା । ଛତିଶଗଡର ବସ୍ତର ଓ ସୁକୁମା ଜିଲ୍ଲା ସମେତ ଓଡିଶା ସୀମାନ୍ତ ମାଲକାନଗିରି ଜିଲ୍ଲା ମାଥିଲ ବ୍ଲକର ୧୦ରୁ ଅଧିକ ଗାଁ । ଆଉ ଲୋକଙ୍କ ଏଭଳି ଅଭିଯାନର ନେତୃତ୍ୱ ନେଇଥିଲା ଛତିଶଗଡ ପୋଲିସ । ସାମିଲ ହୋଇଥିଲେ ବରିଷ୍ଠ ପୋଲିସ ଅଧିକାରୀ । ଗ୍ରାମବାସୀଙ୍କ ସାହାସକୁ ସାବାସି ଦେବା ସହ ସୁରକ୍ଷା ଦେବାକୁ ଦେଇଥିଲେ ପ୍ରତିଶ୍ରୁତି ।

୨୦୧୫ ସେପଟେମ୍ବରରେ ମାଓନେତା ସୁନାଧରକୁ ଏନକାଉଂଟର କରିଥିଲା ପୋଲିସ । ଏହାପରେ ମାଥିଲି ଅଂଚଳରେ କ୍ୟାମ୍ପ ସ୍ଥାପନ କରି କମ୍ବିଂ ଜୋରଦାର କରିଛି ପୋଲିସ । ଆଉ ଛତ୍ରଭଂଗ ଦେଇଛନ୍ତି ମାଓବାଦୀ ।