ମନ୍ତ୍ରୀଙ୍କ ଘରକୁ ଧସେଇ ପସିଲେ କୃଷକ ନେତା ! ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜରାସ୍ତାରେ ବିକ୍ଷୋଭ କଲା ନବନିର୍ମାଣ ଯୁବ ଛାତ୍ର ସଂଗଠନ

29

କନକ ବ୍ୟୁରୋ :ଚାଷୀ ମୁଣ୍ଡରେ ଚକଡା ଚଡକ ପରେ କେଉଁଠି ଚାଷୀ ଫସଲ ଜାଳୁଛି ତ ଆଉ କେଉଁଠି ଚାଷୀ ଆତ୍ମହତ୍ୟା କରୁଛି । ଏଭଳି ସ୍ଥିତିରେ ଚାଷୀ ଆତ୍ମହତ୍ୟାକୁ ଗ୍ରହଣ କରୁନାହାଁନ୍ତି ସରକାର । ଆଜି ଏହାର ପ୍ରତିବାଦ କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ବାସଭବନକୁ ଧଶେଇ ପଶିଛନ୍ତି ସଂଗଠନର ସଦସ୍ୟ । ଦାବି କରିଛନ୍ତି, ଚାଷୀ ଆତ୍ମହତ୍ୟା ରୋକିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ ସରକାର ।

କୃଷିମନ୍ତ୍ରୀଙ୍କ ବାସଭବନକୁ ଧଶେଇ ପଶିଲେ ବିକ୍ଷୋଭକାରୀ । ଚାଷ କ୍ଷେତରେ ନିଆଁ ଲଗାଇଲେ କ୍ଷତିପୂରଣ ମିଳିବ ନାହିଁ ବୋଲି ଦାମଙ୍କ ବୟାନକୁ ବିରୋଧ କରି ଏଭଳି ପ୍ରତିବାଦ ଜଣାଇଛନ୍ତିି ନବନିର୍ମାଣ ଯୁବ ଛାତ୍ର ସଂଗଠନ ସଦସ୍ୟ । ମନ୍ତ୍ରୀଙ୍କ ବାସଭବନରେ ପଶି ଚାଷୀଙ୍କ ହକ୍ ମାଗିଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ । ଦାବି କରିଛି, ଚାଷୀ ଆତ୍ମହତ୍ୟା ରୋକିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ ସରକାର । ଧାନର ସହାୟକ ମୂଲ୍ୟ ବୃଦ୍ଧି ସହ ରିଲିଫ୍ କୋଡ୍ରେ ସଂଶୋଧନ କରାଯାଉ । ଚାଷୀଙ୍କ ସ୍ୱାର୍ଥ ପାଇଁ ସରକାର ଭାଗ ଚାଷୀ ଆଇନ୍ ଲାଗୁ କରନ୍ତୁ । ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟକାରୀ କରାଯାଉ । ତେବେ ପ୍ରଥମେ ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରନ୍ତୁ ବୋଲି ଦାବି କରିଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ ।

ଏନେଇ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ସରକାର ଚାଷକୁ ମୁଖ୍ୟ ପ୍ରସଙ୍ଗ କରନ୍ତୁ । ଚାଷୀ ସମସ୍ୟାକୁ ନେଇ ଉଭୟ ସରକାର ଓ ବିରୋଧୀ ଦଳ ଭୋଟ ଚାଷ ନ କରିବାକୁ ସେ କହିଛନ୍ତି । ଚାଷୀ ସମସ୍ୟା କିପରି ଦୂର ହୋଇପାରିବ ସେନେଇ ସରକାର ତର୍ଜମା କରିବା ଆବଶ୍ୟକ । ବିକ୍ଷୋଭରେ ରାଜ୍ୟରେ ପ୍ରତିଦିନ ଚାଷୀ ଆତ୍ମହତ୍ୟା ଲାଗି ରହିଥିବା ବେଳେ ଏ ନେଇ କୃଷିମନ୍ତ୍ରୀ ଡା.ରାଉତ ପଦକ୍ଷେପ ନେବା ଦାବି କରି ସଙ୍ଗଠନର କର୍ମକତ୍ତାମାନେ ମନ୍ତ୍ରୀଙ୍କ ବାସଭବନ ପରିସରକୁ ଧସେଇ ପଶିଥିଲେ। ଏହି ଘଟଣାରେ ପୁଲିସ ୫ ଜଣ କର୍ମକର୍ତ୍ତାଙ୍କୁ ଧରି ଥାନାକୁ ନେଇଛି।