ଆସାମ ସରକାରଙ୍କ ବଡ ଘୋଷଣା !  ଝିଅ ବାହାଘରରେ ଏକ ତୋଳା ସୁନା ଦେବେ ସରକାର

464

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସାଧାରଣ ଲୋକଙ୍କୁ ରାଜନୈତିକ ଦଳଗୁଡିର ଲୋଭନୀୟ ପ୍ରତିଶ୍ରୃତି ଦେଉଛନ୍ତି । ଏବେ ଆସାମ ସରକାର ରାଜ୍ୟର ଲୋକଙ୍କ ପାଇଁ ଲୋଭନୀୟ ପ୍ରତିଶ୍ରୁତି  ଦେଇଛନ୍ତି ।  ଘୋଷଣା ଅନୁସାରେ, ଏଣିକି ବାହାଘର ହେଲେ ମିଳିବ ସୁନା ।  ବାହାଘର ବେଳେ ୧୧.୬୬ ଗ୍ରାମ୍ ତଥା ଏକ ତୋଳା ସୁନା ଦେବେ ସରକାର । ଅର୍ଥାତ୍ ବିବାୟ ସମୟରେ କନ୍ୟାଙ୍କୁ  ୩୮ ହଜାର ଟଙ୍କାର ସୁନା ଦେବେ ଆସାମ ସରକାର ।

ଯେଉଁ ପରିବାରର ବାର୍ଷିକ ଆୟ ୫ ଲକ୍ଷରୁ କମ ଥିବ ସେମାନଙ୍କୁ ଏହି ସୁବିଧା ମିଳିବ । ପ୍ରତ୍ୟେକ ପରିବାରକୁ ମିଳିବ ଗୋଟିଏ ତୋଳା ଅର୍ଥାତ ୧୦ ଗ୍ରାମ ସୁନା ।  ଆସାମରେ ବର୍ତ୍ତମାନ ବିଜେପି ସରକାର କ୍ଷମତାସୀନ ଅଛନ୍ତି ।  ରାଜ୍ୟ ବଜେଟ ଉପସ୍ଥାପନ ବେଳେ ବିଧାନସଭାରେ ଏହି ଲୋଭନୀୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ।

ଏହାବ୍ୟତୀତ ଗରିବଙ୍କୁ ଏକ ଟଙ୍କାରେ ଏକ କିଲୋ ଚାଉଳ ଦିଆଯିବ ବୋଲି ଘୋଷଣା କରିଛନ୍ତି ଆସାମ ସରକାର । ଆଉ ଏହାଦ୍ୱାରା ୫୩ ଲକ୍ଷ ପରିବାର ଉପକୃତ ହେବେ । ସୂଚନାଯୋଗ୍ୟ ଗତକାଲି ଆସାମର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ୨୦୧୯-୨୦ ବଜେଟ ଉପସ୍ତାପିତ କରିଛନ୍ତି ।