ଅନୁଗୁଳ ଛେଣ୍ଡିପଦା ଅଂଚଳରେ ଘରବାଡି ବିବାଦକୁ ନେଇ ଉତ୍ତେଜନା : ଭାଇର ଘର ଭାଙ୍ଗିବାକୁ ଦୁଇ ଭାଇ ଆଣିଲେ ଭଡାଟିଆ ଗୁଣ୍ଡା, ଦେଶୀ ବନ୍ଧୁକ ସହ ୬ ଗୁଣ୍ଡାଙ୍କୁ ଅଟକ ରଖିଲେ ଗ୍ରାମବାସୀ

53

କନକ ବ୍ୟୁରୋ : ଘରବାଡି଼ ବିବାଦରୁ ବୁଲିଲା ଦେଶୀବନ୍ଧୁକ । ଭଡାଟିଆ ଗୁଣ୍ଡାଙ୍କୁ କାବୁ କରି ସାବାଡ କଲେ ଗାଁ ଲୋକେ । ଘର ଭାଙ୍ଗିବାକୁ ଆସି ଗିରଫ ହେଲେ ୬ଜଣ ଭଡାଟିଆ ଗୁଣ୍ଡା । ଏପରି ଘଟଣା ଦେଖିବାକୁ ମଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳ ଗାଁରେ । ଗାଁର ତିନି ଭାଇ ନିତ୍ୟାନନ୍ଦ ବାଘ, ମହେନ୍ଦ୍ର ବାଘ, ଇନ୍ଦ୍ରମଣି ବାଘଙ୍କ ମଧରେ ଜମି ବିବାଦ ଲାଗିରହିଥିଲା । ଏହି ଗଣ୍ଡଗୋଳକୁ ନେଇ ନିତ୍ୟାନନ୍ଦ ବାଘ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟ ଦୁଇ ଭାଇ ମାଡ଼ପିଟ ପାଇଁ ୮ଜଣ ଭଡ଼ାଟିଆ ଗୁଣ୍ଡାମାନଙ୍କୁ ପଠାଇ ନିତ୍ୟାନନ୍ଦଙ୍କ ଘର ଭଙ୍ଗରୁଜା କରିଥିଲେ ।

ଖବର ପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଂଚି ୬ ଜଣ ଗୁଣ୍ଡାଙ୍କୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି । ଭଡାଟିଆ ଗୁଣ୍ଡାଙ୍କୁ କାବୁ କରିବା ପରେ ଗାଁବାଲା ତାଙ୍କ ଠାରୁ ଦେଶୀ ବନ୍ଧୁକ ଛଡାଇ ନେଇ କାନ ଧରି ଉଠବସ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ୨ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି । ଅନ୍ୟପଟେ ନିତ୍ୟାନନ୍ଦଙ୍କ ଘରୁ ଦୁର୍ବୃତ୍ତମାନେ ଏକ ସୁନାମାଳ ଏବଂ ୨୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।