ଉତ୍ତର ପ୍ରଦେଶର ଟ୍ରାଫିକ ପୋଲିସର ଅଜବ ନିୟମ । ହାଫ୍ ପ୍ୟାଣ୍ଟ କିମ୍ବା ଲୁଙ୍ଗି ପିନ୍ଧି ଗାଡି ଚଳାଇଲେ ଦେବାକୁ ପଡିବ ୨୦୦୦ ଜରିମାନା ।

198

ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଜରିମାନା ବାବଦକୁ ମାତ୍ରାଧିକ ଟଙ୍କା ଆଦାୟକୁ ନେଇ ପୂରା ଦେଶରେ ବିରୋଧର ସ୍ୱର ତେଜିଛି । ଆଉ ଏସବୁ ଭିତରେ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଛି ଟ୍ରାଫିକ ନିୟମ ଉଲ୍ଲଂଘନର ଅଜବ ଚିତ୍ର । ଏଠାରେ ହାଫ୍ ପ୍ୟାଣ୍ଟ କିମ୍ବା ଲୁଙ୍ଗି ପିନ୍ଧି ଗାଡି ଚଳାଇଲେ ୪ ଗୁଣା ଜରିମାନା ଆଦାୟ କରିବାକୁ ନିଷ୍ପତି ନେଇଛି ଟ୍ରାଫିକ ପୋଲିସ । ତେବେ ଏହା ବାଇକ ଚାଳକଙ୍କ ପାଇଁ ଲାଗୁ ହେବ ନାହିଁ । ବଡ ଗାଡି ଯେପରିକି ବସ୍, ଟ୍ରକର ଗାଡି ଚାଳକ ଟ୍ରାଫିକ ନିୟମ ମୁତାବକ କପଡା ନ ପିନ୍ଧିଲେ ଜରିମାନା ଆଦାୟ କରାଯିବ ।

ଲକ୍ଷ୍ନୌ ଟ୍ରାଫିକ ଏସପିଙ୍କ କହିବା ଅନୁଯାୟୀ, ଗାଡି ଚାଳକଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ କୋର୍ଡ ରହିବ । ଏହି ଡ୍ରେସକୋର୍ଡରେ ପ୍ୟାଣ୍ଟ, ସାର୍ଟ ଓ ଜୋତା ରହିବ । ଗାଡି ଚଳାଇବା ସମୟରେ ଲୁଙ୍ଗି କିମ୍ବା ଅନ୍ୟ କୌଣସି ପୋଷାକ ପିନ୍ଧିଲେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ।

ଏହାପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ନୂଆ ଟ୍ରାଫିକ ନିୟମକୁ ନେଇ ବଡ ବୟାନ ଦେଇଥିଲେ । ନିୟମ କାନୁନକୁ ସମ୍ମାନ କରିବା ଆବଶ୍ୟକ ତା ସାଙ୍ଗକୁ ଡରିବା ମଧ୍ୟ ଆବଶ୍ୟକ । ଏଭଳି ଭାବେ ମାତ୍ରାଧିକ ଜରିମାନା ଆଦାୟ କରିବା ସରକାରଙ୍କର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଏହାଦ୍ୱାରା ସାଧାରଣ ଲୋକ ନିୟମ ଭାଙ୍ଗିବା ପୂର୍ବରୁ ବାରମ୍ବାର ଭାବିବେ ଓ ସଚେତନ ମଧ୍ୟ ହେବେ ।