ଆରମ୍ଭ ହେଲା ପଦୋନ୍ନତି ଅଦାଲତ : ୬ଟି ସ୍ଥାନରେ ୩ ଦିନ ଧରି ଚାଲିବ ଅଭିଯୋଗର ଶୁଣାଣି, ବିଭିନ୍ନ କାରଣରୁ ପଦୋନ୍ନତିରୁ ବଞ୍ଚିତ ସରକାରୀ କର୍ମଚାରୀଙ୍କ ଶୁଣାଯିବ ଅଭିଯୋଗ

325

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପଦୋନ୍ନତି ଆଦାଲତ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭିଯୋଗ ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ କାରଣରୁ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ଚାଲିଛି । ପଦୋନ୍ନତିରୁ ବଞ୍ଚିତ ହୋଇଥିବା କର୍ମଚାରୀମାନେ ଆସି ତାଙ୍କ ସମସ୍ୟା ରଖୁଛନ୍ତି । ପଦୋନ୍ନତିରୁ ବଞ୍ଚିତ କର୍ମଚାରୀଙ୍କ ପାଇଁ ପ୍ରଥମ ଥର ପାଇଁ ଏଭଳି ଏକ ଅଦାଲତର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ୬ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶୁଣାଣି କରୁଛନ୍ତି ।

ପଦୋନ୍ନତିରୁ ବଞ୍ଚିତ କର୍ମଚାରୀମାନେ ପଦୋନ୍ନତି ଅଦାଲତରେ ଅଂଶଗ୍ରହଣ କରିବାକୁ ହେଲେ ଇମେଲ୍ gadmin.or@nic.in ଯୋଗେ ଜାନୁଆରି ୨୩ ସୁଦ୍ଧା ଆବେଦନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮୯୦୯ ଅଭିଯୋଗ ମଧ୍ୟରୁ ୨ହଜାର ୨୭୩ ଅଭିଯୋଗର ଶୁଣାଣି ହେବ । ପଦୋନ୍ନତି ପାଇଁ ଆବେଦନ କରିଥିବା କର୍ମଚାରୀ ହିଁ ପ୍ରମୋସନ ଅଦାଲତରେ ନିଜ କଥା ରଖିପାରିବେ । କୌଣସି ଓକିଲ କିମ୍ବା ମଧ୍ୟସ୍ଥିଙ୍କ ଜରିଆରେ ସେମାନେ ଅଭିଯୋଗ ରଖିପାରିବେ ନାହିଁ । ଆଜି ଦିନ ତମାମ ଶୁଣାଣି ହେବାକୁ ଥିବା ବେଳେ ଆସନ୍ତାକାଲି ଓ ଜାନୁୟାରୀ ୩୧ରେ ଶୁଣାଣି ହେବ ।