ପରଲୋକରେ ଖ୍ୟାତନାମା ଶିକ୍ଷାବିତ୍‌ ସୀତାକାନ୍ତ ମହାନ୍ତି !

163

କନକ ବ୍ୟୁରୋ : ଖ୍ୟାତନାମା ଶିକ୍ଷାବିତ୍‌ ତଥା ପ୍ରଫେସର ସୀତାକାନ୍ତ ମହାନ୍ତିଙ୍କର ଗୁରୁବାର ଅପରାହ୍ନରେ ତାଙ୍କ ପୁରୁଣା ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ସ୍ୱାଧୀନତୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ଯେଉଁ କେତେଜଣ ସ୍ରଷ୍ଟା ନିଜର ସୃଜନ ପ୍ରତିଭା ଓ ସାଙ୍ଗଠନିକ ଦକ୍ଷତାର ସଦୁପଯୋଗ କରଥିଲେ ସେମାନଙ୍କ ମଧ୍ୟରେ ଅଧ୍ୟାପକ ସୀତାକାନ୍ତ ମହାନ୍ତି ଥିଲେ ଅନ୍ୟତମ। ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ଲାଗି ହୋଇଥିବା ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିବା ଠାରୁ ଓଡ଼ିଆ ଯୁବଲେଖକ ସମ୍ମେଳନର ପ୍ରତିଷ୍ଠାତା ସମ୍ପାଦକ ଦାୟିତ୍ୱ ମଧ୍ୟ ସେ ନିଷ୍ଠାର ସହିତ ନିର୍ବାହ କରିଥିଲେ। ଗଳ୍ପ, କବିତା ଓ ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଶ୍ରୀ ମହାନ୍ତି ନିଜସ୍ୱ ଅନନ୍ୟତା ପ୍ରତିପାଦିତ କରି ପାରିଥିଲେ। ଗଳ୍ପ ସଂକଳନ ‘ଫସିଲ୍‌ରୁ ମୁକ୍ତା ଶିକାର’ ଏବଂ କବିତା ସଂକଳନ ‘ଶବ୍ଦ ଶିଞ୍ଜନୀ’ ତଥା ‘ଗୀତି ଦୀପନା’ ତାଙ୍କ ସାହିତ୍ୟିକ ବିପୁଳତାର ତିନି ଗୋଟି ନମୁନା ମାତ୍ର। ସର୍ବୋପରି ‘ସତ୍‌ସଙ୍ଗ’ର ଜଣେ ବରିଷ୍ଠ ସଂଗଠକ ତଥା ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ସହ-ପ୍ରତି-ଋତ୍ୱିକ ଭାବରେ ସେ ଆଧ୍ୟାତ୍ମିକତା ଏବଂ ଲୋକକଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ଏଯାବତ୍‌ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରି ଆସିଥିଲେ। ଏହା ତାଙ୍କର ସାହିତ୍ୟ ସୃଷ୍ଟିକୁ ନୂତନ ଦିଶା ଏବଂ ପରିଭାଷା ଦେଇଥିଲା। ସେ ରଚନା କରିଛନ୍ତି ଏକ ଶହରୁ ଉର୍ଦ୍ଧ୍ୱ ଭକ୍ତିର ସମ୍ବଳିତ ଗୀତିକବିତା ।

କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ୪ ଜୁଲାଇ ୧୯୩୮ ଆଷାଢ଼ ଶୁଳ୍କ ଅଷ୍ଟମୀରେ ଜନ୍ମିତ ସୀତାକାନ୍ତ ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଦୂର ନିରନ୍ତର ପାଠ୍ୟ ନିର୍ଦ୍ଦେଶାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ୟ୍ୟକରି ଅବସର ନେଇଥିଲେ। ‘ସତ୍‌ସଙ୍ଗ’ର ଓଡ଼ିଆ ମୁଖପତ୍ର ‘ଉର୍ଜ୍ଜନା’, ଗୋଦାବରୀଶ ସାହିତ୍ୟ ସଂସଦର ମୁଖପତ୍ର ‘ମୂର୍ଚ୍ଛନା’ ଏବଂ ଭୁବନେଶ୍ୱର ସତ୍‌ସଙ୍ଗ ବିହାରର ସ୍ମରଣିକା ‘ତର୍ପଣ’ର ଦକ୍ଷ ସଂପାଦନା ତାଙ୍କ ସାହିତ୍ୟିକ ପ୍ରତିବଦ୍ଧତାର ଆଉ ଏକ ବଳିଷ୍ଠ ଉଦାହରଣ ଥିଲା ।

ଶ୍ରୀ ମହାନ୍ତିଙ୍କ ମୃତ୍ୟୁ ସମୟରେ ତାଙ୍କର ସମସ୍ତ ପରିବାର ତାଙ୍କ ନିକଟରେ ଉପସ୍ଥିିତ ଥିଲେ। ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଶ୍ରୀ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ଲେଖକ, ବୁଦ୍ଧିଜୀବୀ, ଅଧ୍ୟାପକ ଓ ତାଙ୍କର ବହୁ ପ୍ରାକ୍ତନ ଛାତ୍ର ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସ୍ୱଗତ ସୀତାକାନ୍ତ ମହାନ୍ତିଙ୍କ ଜ୍ୟେଷ୍ଠପୁତ୍ର ଧୃତିକାମ ମହାନ୍ତି ‘ସମ୍ବାଦ’ର ଡିଜିଟାଲ ନ୍ୟୁଜ୍‌ ପୋର୍ଟାଲ ‘ସମ୍ବାଦ ଡଟ୍‌ ଇନ୍‌’ର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ।