ପ୍ରଫେସରଙ୍କ ପ୍ରେମ କାହାଣୀରେ ନୂଆ ମୋଡ଼ ! ଯୌନ ନିର୍ଯାତନା ଅଭିଯୋଗରେ ମହିଳା ଥାନାରେ ଫେରାଦ ହେଲେ ଆଇଆଇଟି ଛାତ୍ରୀ

26

କନକ ବ୍ୟୁରୋ : ପ୍ରଫେସରଙ୍କ ପ୍ରେମ କାହାଣୀର ଖୁଲାସା କରିଥିବା ଆଇଆଇଟି ଛାତ୍ରୀ ଆଜି ମହିଳା ଥାନାରେ ବିଧିବଦ୍ଧ ଏତଲା ଦେଇଛନ୍ତି । ଆଇଆଇଟି ଭୁବନେଶ୍ୱରର ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଛାତ୍ରୀ ଜଣକ । ପିଏଚଡି କରୁଥିବା ଏହି ଛାତ୍ରୀ କହିଥିଲେ, କିଭଳି ପ୍ରଫେସର ଭି.ଆର ପେଦୀରେଡ୍ଡୀ ତାଙ୍କୁ ନିରୋଳାରେ ଲାବୋରାଟୋରିକୁ ଡାକୁଥିଲେ । ସ୍ୱାମୀଙ୍କୁ ଛାଡପତ୍ର ଦେଇ ଏକାକୀ ରହିବାକୁ କହୁଥିଲେ । ଗର୍ଭାବସ୍ଥାରେ ୪ ମହଲା ଛାତ ଉପରକୁ ଚାଲିଚାଲି ଯିବାକୁ ବାଧ୍ୟ କରୁଥିଲେ । ଆଉ ସବୁଠାରୁ ସାଂଘାତିକ କଥା ହେଉଛି ଏସବୁ ଅଭିଯୋଗ ସତ୍ୱେ ସଂପୃକ୍ତ ପ୍ରଫେସରଙ୍କୁ କ୍ଲିନଚିଟ ଦେଇଥିଲା ଶିକ୍ଷାନୁଷ୍ଠାନର ଇଂଟରନାଲ କମିଟି ।

ଯାହା ବିରୋଧରେ ନ୍ୟାୟିକ ଲଢେଇ ଲଢିବାକୁ ପ୍ରସ୍ତୁତ ହେଉଥିବା କନକ ନ୍ୟୁଜକୁ କହିଥିଲେ ପୀଡିତା । ମହିଳା ଥାନାରେ ଏତଲା ଦେବା ସହ ହାଇକୋର୍ଟରେ ରିଟ ପିଟିସନ କରିବେ ବୋଲି କହିଥିଲେ । ଆଜି ନିଜ ଓକିଲଙ୍କ ସହ ଥାନାରେ ପହଂଚି ପ୍ରଫେସରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ବିଭିନ୍ନ ଫୋରମରେ ଅଭିଯୋଗ କରି ନ୍ୟାୟ ନମିଳିବାରୁ ଅଭିଯୁକ୍ତ ପ୍ରଫେସରଙ୍କ ବିରୋଧରେ ନ୍ୟାୟିକ ଲଢେଇ ଲଢିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ଏପରିକି ପ୍ରଫେସରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ସେ ଆଇଆଇଟି ଭୁବନେଶ୍ୱରର ରେଜିଷ୍ଟ୍ରାର, ଅଧ୍ୟକ୍ଷ ଓ ବୋର୍ଡ ଅଫ ଗଭର୍ଣ୍ଣରଙ୍କୁ ମାମଲାରେ ପକ୍ଷଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି ।