ମିଳିଲା ପ୍ରମାଣ, ଗାଏବ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିରରୁ କାରୁକାର୍ଯ୍ୟ: ସିବିଆଇ ତଦନ୍ତ ନ କଲେ କୋଣାର୍କ ମନା

252

କନକ ବ୍ୟୁରୋ: ବିଶ୍ବ ଐତିହ୍ୟ କୋଣାର୍କ ସୂର‌୍ୟ୍ୟମନ୍ଦିରରୁ କାରୁକାର‌୍ୟ୍ୟପୂର୍ଣ୍ଣ ପଥର ଅପସାରଣ କରିବା ଘଟଣାକୁ ନେଇ ଉଠିଥିବା ହଟଚମଟର ଆଉ ଏକ ସତ୍ୟତା ପଦାକୁ ଆସିଛି । ସୂର‌୍ୟ୍ୟମନ୍ଦିରର ସଂରକ୍ଷଣ ଦାୟିତ୍ବ ଏଏସଆଇ କର୍ତୃପକ୍ଷ ନେବା ପୂର୍ବରୁ ଯେଉଁଠି କାରୁକାର‌୍ୟ୍ୟ ପୂର୍ଣ୍ଣ ମୂର୍ତି ଶୋଭିତ ହେଉଥିଲା ସଂରକ୍ଷଣ ପରେ ଆଜି ଉକ୍ତ ସ୍ଥାନ ଫାଙ୍କା ପଡ଼ିଥିବା ଜଳଜଳ ଦିଶୁଛି। ଏହାକୁ ନେଇ ଗତକାଲି କୋଣାର୍କ ଆଂଚଳିକ ବିକାଶ ପରିଷଦ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ଏହି ସନ୍ଦେହ ଉପରୁ ପରଦା ଉଠାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଏଏସଆଇ ମନ୍ଦିରର ସଂରକ୍ଷଣ ଦାୟିତ୍ବ ନେବା ପୂର୍ବରୁ ସୂର‌୍ୟ୍ୟମନ୍ଦିରର ମୁଖ୍ୟ ମନ୍ଦିର ଭୁଶୁଡ଼ି ପଡ଼ିଥିଲା। ମାତ୍ର ମୁଖଶାଳାରେ କାରୁକାର‌୍ୟ୍ୟପୂର୍ଣ୍ଣ ମୂର୍ତି ରହିଥିଲା। ୧୯୩୯ ମସିହାରେ ସୂର‌୍ୟ୍ୟମନ୍ଦିରକୁ ସଂରକ୍ଷିତ କୀର୍ତିରାଜି ଭାବେ ଘୋଷଣା କରାଯାଇଥିଲା। ପରବର୍ତୀ ସମୟରେ ୧୯୮୪ ମସିହାରେ ସୂର‌୍ୟ୍ୟମନ୍ଦିରକୁ ୟୁନେସ୍କୋ ପକ୍ଷରୁ ବିଶ୍ବ ଐତିହ୍ୟର ମାନ୍ୟତା ଦିଆଗଲା।

ଗତ ୯ ତାରିଖରେ ସମ୍ବାଦରେ ରିପୋଟ ପ୍ରକାଶିତ ହେବାପରେ ରାଜ୍ୟ ଠାରୁ କେନ୍ଦ୍ର ପର‌୍ୟ୍ୟନ୍ତ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଏଏସଆଇ ନିଜ ଦୋଷ ଲୁଚାଇବାକୁ ଡ଼ାହା ମିଛ କହିବା ଆରମ୍ଭ କରିଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମନ୍ଦିରରୁ କାରୁକାର‌୍ୟ୍ୟପୂର୍ଣ୍ଣ ମୂର୍ତି ଗାଏବ ହୋଇଥିବା ନେଇ ଗତକାଲି କୋଣାର୍କ ଆଂଚଳିକ ବିକାଶ ପରିଷଦ ଲୋକଲୋଚନକୁ ଆଣିଛି। ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ସରଂକ୍ଷଣ ପୂର୍ବର ଓ ବର୍ତ୍ତମାନର ଫଟୋ ପ୍ରଦର୍ଶିତ କରାଯାଇଛି। ମନ୍ଦିର ସଂରକ୍ଷଣ ପୂର୍ବରୁ ଯେଉଁଠି କାରୁକାର‌୍ୟ୍ୟପୂର୍ଣ୍ଣ ମୂର୍ତି ଜଳଜଳ ଦିଶୁଥିଲା ଆଜି ଉକ୍ତ ସ୍ଥାନ ଫାଙ୍କା ପଡ଼ିଥିବାର ଦେଖାଯାଇଛି ।ଏହି ମୂର୍ତି କୁଆଡ଼େ ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯଦି ଉକ୍ତ ମୂର୍ତି ଅପସାରିତ କରାଯାଇଛି ତେବେ ଏହାକୁ ଏଏସଆଇ କର୍ତୃପକ୍ଷ କେଉଁଠି ରଖିଛନ୍ତି ବୋଲି ପ୍ରଶ୍ନ କରିଛି କୋଣାର୍କ ଆଂଚଳିକ ବିକାଶ ପରିଷଦ। ଆଗାମୀ ଦିନରେ ମୁଖଶାଳାର ପ୍ରତ୍ୟେକଟି ଅଂଶରୁ ଗାଏବ କରାଯାଇଥିବା ମୂର୍ତି ସଂପର୍କରେ ତଥ୍ୟ େଲାକ ଲୋଚନକୁ ଅଣାଯିବ ବୋଲି ବିକାଶ ପରିଷଦର ସଭାପତି ସୁବାସ ନାୟକ ସୂଚନା ଦେଇଛନ୍ତି। ସଂପ୍ରତି ମନ୍ଦିରୁ ଗାଏବ ହୋଇଥିବା କାରୁକାର‌୍ୟ୍ୟ ମଧ୍ୟରୁ କେତେକ ସରକାରୀ ଭାବେ ଭୁବନେଶ୍ବର, ଦିଲ୍ଲୀ ସ୍ଥାନାନ୍ତର ହୋଇଥିବା ବେଳେ ଆଉ କେତେକର ହିସାବ ନାହିଁ ବୋଲି ଅଭିଯୋଗ େହାଇଛି। କାରୁକାର‌୍ୟ୍ୟପୂର୍ଣ୍ଣ ମୂର୍ତି ଗାଏବ ସଂପର୍କରେ ଯଦି ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ନକରାଯାଏ କିମ୍ବା ସଠିକ୍ ତଥ୍ୟ ସାର୍ବଜନୀନ ନକରାଯାଏ ତେବେ ଏଏସଆଇର କୌଣସି ଅଧିକାରୀ କିମ୍ବା ଏଏସଆଇର ପୃଷ୍ଠପୋଷକ ସାଜିଥିବା କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀଙ୍କୁ କୋଣାର୍କରେ ପୂରାଇ ଦିଆଯିବ ନାହିଁ ବୋଲି ଆଂଚଳିକ ବିକାଶ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।