ମାସେ ପରେ ଚାଲିବ କଂସ ମହାରାଜଙ୍କ ରାଜୁତି । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ । ଡିସେମ୍ବର ୩୧ରୁ ଜାନୁଆରୀ ୧୦ ଯାଏଁ ଚାଲିବ ମହୋତ୍ସବ

184

କନକ ବ୍ୟୁରୋ: ମାସେ ପରେ କମ୍ପିବ ବରଗଡ । ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆଉ ୭୧ ତମ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଝୁମିବ ସାରା ଓଡିଶା । ସେଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିିୟା । ରୀତିନୀତି ଅନୁସାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ପ୍ରଥମେ ମାଆ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରିଥିଲା । ସହର ପରିକ୍ରମା କରି ହାଟପଦା ସ୍ଥିତ ସଂଚାର ପଡ଼ିଆରେ ପହଁଚିବା ପରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି ।

ତେବେ ଏହି ଅବସରରେ ବରଗଡ ଏସପି ପଦ୍ମିନୀ ସାହୁ, ଉପଜିଲ୍ଲାପାଳ ପ୍ରଭାସ ଡନସନା, ଅତିରିକ୍ତ ଜିଲ୍ଲାପାଳ ଟପ୍ପୋ ମିର୍ଧା, ଧନୁଯାତ୍ରା କମିଟି ସମ୍ପାଦକ ସୁରେଶ୍ୱର ଶତପଥୀ, ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନଙ୍କ ସମେତ ଧନୁଯାତ୍ରାର ବହୁ ସଦସ୍ୟ ଏହି ଶୁଭସ୍ତମ୍ଭ ସ୍ଥ୍ାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ତେବେ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବାକୁ ଯାଉଛି ଧନୁଯାତ୍ରା । ୩୧ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ତାପରେ ୧୧ ଦିନ ବ୍ୟାପୀ ବରଗଡରେ ଚାଲିବ କଂସ ରାଜୁତି । କଂସ ଦରବାରରେ ସବୁଦିନ ହେବ ନୃତ୍ୟ ସଂଙ୍ଗୀତ । ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚକୁ ମନଭରି ଉପଭୋଗ କରିବେ ସମସ୍ତେ ।

ଗତ କିଛି ତଳେ କଂସ ଚରିତ୍ରକୁ ନେଇ ବିବାଦ ଦେଖାଦେଇଥିଲା । ଗତ ବର୍ଷ କଂସ ଭୁମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନଙ୍କ କାର୍ଯ୍ୟକାଳ ସରିନଥିବା ବେଳେ ନୂଆ କଂସ ଚୟନକୁ ନେଇ ବିବାଦ ଉଠିଥିଲା । ତେବେ ବହୁ ବାଦ ବିବାଦ ପରେ ଚଳିତ ବର୍ଷ ପୁଣି ଭୁବନେଶ୍ୱର ପ୍ରଧାନ କଂସ ଚରିତ୍ରରେ ଅଭିନୟ କରିବେ ବୋଲି ସ୍ଥିର ହୋଇଥିଲା ।