ଭାଙ୍ଗି ଯାଇଛି ଆଜବେଷ୍ଟ, ଛାତରୁ ଗଳୁଛି ପାଣି । ୩ଟି ଘରେ ରହୁଛନ୍ତି ୬୦ ଛାତ୍ରୀ, ଅଭିଯୋଗ କଲେ ଅଧ୍ୟକ୍ଷ କହୁଛନ୍ତି ହଷ୍ଟେଲ ଛାଡିଦିଅ

147

କନକ ବ୍ୟୁରୋ : ଶିକ୍ଷା ବିଭାଗର ଚରମ ଉଦାସୀନତା ଯୋଗୁଁ ଛାତ୍ରୀ ମାନେ ଗାଈଗୁହାଳ ସଦୃସ ଅଣଓସାରିଆ କୋଠରୀ ମଧ୍ୟରେ ପଶୁପକ୍ଷୀ ଭଳି ରହିବାକୁ ବାଧ୍ୟ ହେଉଛନ୍ତି । ଅନୁଷ୍ଠାନର ମୁଖ୍ୟଙ୍କୁ ଅବସ୍ଥା ସମ୍ପର୍କରେ ଅଭିଯୋଗ କଲେ ଛାତ୍ରୀଙ୍କୁ ଛାତ୍ରୀ ନିବାସ ଛାଡିବାକୁ ଚେତାବନୀ ଦିଆଯାଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ସଦରମହକୁମାଠାରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସରେ ।

ଅବ୍ୟବସ୍ଥା ମଧ୍ୟରେ କଟୁଛି ଛାତ୍ରୀଙ୍କ ଜୀବନ । ଦେବଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସରେ ୪୫ଜଣଙ୍କ ରହିବା ବ୍ୟବସ୍ଥା ଥିବାବେଳେ ରହୁଛନ୍ତି ୬୦ରୁ ଅଧିକ ଛାତ୍ରୀ । ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି । ଫଳରେ ଶୀତ ଅଧିକ ହେବା ସହ ବର୍ଷାଦିନର ପାଣି ଗଳୁଥିବାର ଅଭିଯୋଗ ହୋଇଛି । ପାଠପଢିବା ପାଇଁ ଅନ୍ତେବାସୀ ନିଜ ଖର୍ଚ୍ଚରେ ବିଦ୍ୟୁତ ସାମଗ୍ରୀ କିଣି ବ୍ୟବହାର କରୁଛନ୍ତି । ଏନେଇ ଅଧ୍ୟକ୍ଷଙ୍କୁ ଅଭିଯୋଗ କଲେ ସେ କିଛି ଶୁଣୁନାହାନ୍ତି । ବରଂ ହଷ୍ଟେଲ ଛାଡି ଚାଲିଯାଅ ବୋଲି ଚେତାବନୀ ଦେଉଥିବା ଛାତ୍ରୀ କହିଛନ୍ତି ।

୬୦ରୁ ଅଧିକ ଛାତ୍ରୀଙ୍କ ବ୍ୟବହାର ପାଇଁ ୨ଟି ପାଇଖାନା ଥିବାବେଳେ ଗୋଟିଏ ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ସରକାରଙ୍କ ପକ୍ଷରୁ ନୂତନ ପାଇଖାନା ନିର୍ମାଣ କରାଯାଇଥିଲେ ମଧ୍ୟ ଡ୍ରେନେଜ ଓ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନାହିଁ । ୩ଟି କୋଠରୀରେ ୬୦ଛାତ୍ରୀ ପାଠପଢା, ଖିଆପିଆ କରିବା ସହ ଶୋଉଛନ୍ତି । ଏପରିକି ଛାତ୍ରୀ ନିବାସରେ କୌଣସି ୱାର୍ଡେନ କି ସୁରକ୍ଷାକର୍ମୀଙ୍କୁ ବି ନିଯୁକ୍ତି କରାଯାଇନାହିଁ । ସେପଟେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ କହିବା କଥା ହେଲା ନୂଆ ଘର ନିର୍ମାଣ ପାଇଁ କର୍ତୃପକ୍ଷଙ୍କୁ ଜଣାଯାଇଛି ।

ଛାତ୍ରୀନିବାସର ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ପରେ ଏହାକୁ ସୁଧାରିବା ବଦଳରେ ହଷ୍ଟେଲ ଛାଡି ଦେବାକୁ ଛାତ୍ରୀଙ୍କୁ ଚେତାବନୀ ଦିଆଯାଉଛି । ଏଭଳି ସ୍ଥିତିରେ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଛାତ୍ରୀ ।