ନିର୍ବାଚନ ସରିବା ପରେ ନିଦରେ ସରକାର ! ବନ୍ୟା ଜଳ ଆସିଲେ ବଢ଼ିଥାଏ ସଙ୍କଟ, ‘ସାଲୁଙ୍କୀ’ ଦୁଃଖ କେବେ ଶୁଣିବେ ସରକାର?

283

କନକ ବ୍ୟୁରୋ: ଚୀନର ଦୁଃଖ ହୋୟାଙ୍ଗ ହୋ ନଦୀ ପରି କନ୍ଧମାଳର ଆଲମୀ, ଦଡକି ଓ ଦୁଡକି ପଂଚାୟତର ଦୁଃଖ ପାଲଟିଛି ସାଲୁଙ୍କୀ ନଦୀ । ସାଲୁଙ୍କୀ ନଦୀ ପାର ହେଲେ ଫୁଲବାଣୀ । ସାଲୁଙ୍କୀ ନଦୀରେ ବନ୍ୟା ଜଳ ଆସି ପ୍ରତିବର୍ଷ ଲୋକେ ତିଆରି କରିଥିବା କାଠ ପୋଲକୁ ଭସେଇ ନେଇଥାଏ । ଆଉ ଫୁଲବାଣୀ ଯିବା ପାଇଁ ତିନି ପଂଚାୟତର ଲୋକଙ୍କୁ ୨୫ କିଲୋମିଟର ବୁଲିବାକୁ ପଡିଥାଏ । ଗତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୋଲ ନିର୍ମାଣ ପାଇଁ ଘୋଷଣା କରିଥିଲେ । ହେଲେ ତାହା ଘୋଷଣାରେ ରହିଯାଇଛି ।

ଖର ଖର ହୋଇ ବହିଯାଉଥିବା ଏହି ନଦୀ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ୩ ପଂଚାୟତ ପାଇଁ ଦୁଃଖ । ପ୍ରତିବର୍ଷ ବର୍ଷା ୩ ମାସ ଦଡକି, ଦୁଡୁକି ଓ ଆଲମୀ ପଂଚାୟତର ୧୬ଟି ଗାଁକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖେ । କାରଣ ବର୍ଷା ଯୋଗୁଁ ନଦୀରେ ଆସିଥିବା ବନ୍ୟା ଗ୍ରାମବାସୀଙ୍କ ଦ୍ୱାରା ନିର୍ନୀତ କାଠ ପୋଲକୁ ଭସାଇ ନିଏ । ଆଉ ବର୍ଷା କମିବା ପରେ ପୁଣି ନିଜର ଶ୍ରମ ଦାନରେ ନୂଆରାପଦର ବାଉଁଶକୁ ଛନ୍ଦି ତା ଭିତରେ ପଥର ଭର୍ତି କରି କାଠପୋଲ ତିଆରି କରନ୍ତି ଗ୍ରାମବାସୀ ।

୧. ବର୍ଷା ଦିନେ ଫୁଲବାଣୀ ଯିବା ପାଇଁ ୨୫ କିଲୋମିଟର ରାସ୍ତା ବୁଲିବାକୁ ପଡେ ।
୨. ଅନ୍ୟଦିନେ କାଠପୋଲ ଦେଇ ମାତ୍ର ୫ କିଲୋମିଟର ରାସ୍ତାରେ ଗଲେ ଫୁଲବାଣୀ ବ୍ଲକ ଅଫିସ ପଡେ ।
୩. ତେଣୁ ୭୦ ବର୍ଷ ହେବ ୭୦ ମିଟର ଲମ୍ବର ବାଉଁଶ ପୋଲ ନିର୍ମାଣ କରୁଛନ୍ତି ଗ୍ରାମବାସୀ ।

ହେଲେ ଏହି ସ୍ଥାନରେ ସ୍ଥାୟୀ ପୋଲଟିଏ ପାଇଁ ସରକାର ନଜର ଦେଉନାହାନ୍ତି । ପୋଲଟିଏ ପାଇଁ ବାରମ୍ବାର ଅଭିଯୋଗ କରି ନିରାସ ହେବା ପରେ ଘରପିଛା ଚାଉଳ ଆଦାୟ କରି ନିଜ ଶ୍ରମ ଦାନରେ ବାଉଁଶ ଉପରେ କଠାପୋଲ ନିର୍ମାଣ କରୁଛନ୍ତି ଗ୍ରାମବାସୀ । ୨୦୧୮ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ନୂଆରିପଦରରେ ଏକ ପୋଲ ନିର୍ମାଣ କରାଯିବ, ହେଲେ ପୋଲ ନିର୍ମାଣ ଦୂରରେ ଥାଉ ଏଯାଏଁ ଇଟାଖଣ୍ଡେ ବି ପଡିନାହିଁ ।