ସୁରକ୍ଷିତ ନୁହେଁ ଆଇଟି ଶିଳ୍ପ : ଏ ବର୍ଷ ୪୦ ହଜାର ଛଟେଇ ଆଶଙ୍କା

314

କନକ ବ୍ୟୁରୋ : ଭାରତରେ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଏକଦା ନିଯୁକ୍ତିର ପ୍ରମୁଖ ମାଧ୍ୟମ ପାଲଟିଥିବା ସୂଚନା ପ୍ରଯୁକ୍ତି ବା ଆଇଟି ଶିଳ୍ପ ଆଉ ସୁରକ୍ଷିତ ନୁହେଁ । ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ପ୍ରଭାବରୁ ଏହି କମ୍ପାନି ଗୁଡ଼ିକ ବର୍ତ୍ତି ପାରିନାହାନ୍ତି । ବ୍ୟବସାୟ ହ୍ରାସ ପାଉଥିବା ‌କାରଣରୁ ଦେଶର ଆଇଟି କମ୍ପାନି ଗୁଡ଼ିକ ଚଳିତବର୍ଷ ୩୦ ହଜାରରୁ ୪୦ ହଜାର କର୍ମଚାରୀ ଛଟେଇ କରିପାରନ୍ତି । ଏସବୁ କର୍ମଚାରୀ କମ୍ପାନିର ମଧ୍ୟମ ବର୍ଗରେ ମୋଟା ବେତନରେ କାର୍ଯ୍ୟରତ ଅଛନ୍ତି । ଏହି ଆକଳନ କରିଛନ୍ତି ଦେଶର ପ୍ରମୁଖ ଆଇଟି କମ୍ପାନି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ଟି ଭି ମୋହନଦାସ ପାଇ । ତେବେ ଆଇଟି ଶିଳ୍ପ ପାଇଁ ଏହା ଏକ ସ୍ବାଭାବିକ ପ୍ରକ୍ରିୟା ।

ଭାରତର ଆଇଟି ଶିଳ୍ପରେ ପରିପକ୍ବତା ଆସୁଥିବାରୁ ୫ ବର୍ଷରେ ଥରେ ଏଭଳି ଛଟେଇ ହେବ ବୋଲି ସେ ମତ ଦେଇଛନ୍ତି । ସେ କହିଛନ୍ତି ଯେ ବିଦେଶରେ ପରିପକ୍ବତା ଆସିବା ପରେ ସବୁ ପ୍ରକାର ଶିଳ୍ପରେ ଛଟେଇ ହୋଇଥାଏ । ସେହିଭଳି ଭାରତରେ ମଧ୍ୟ ଆଇଟି ଶିଳ୍ପରେ ଏଭଳି ଘଟଣା ଦେଖିବାକୁ ମିଳିବ । କମ୍ପାନି ଯେତେ ପୁରଣା ହେବ ସେଥିରେ ନିଯୁକ୍ତ ଥିବା କର୍ମଚାରୀମାନେ ସେତିକି ପୁରୁଣା ହେବେ । ତେଣୁ ମଧ୍ୟମ ବର୍ଗର କର୍ମଚାରୀମାନେ ଯେଉଁ ହାରରେ ବେତନ ପାଇଥାନ୍ତି ତଦନୁପାତିକ ଯୋଗଦାନ ସେମାନଙ୍କର କମ୍ପାନି ପ୍ରତି ରହି ନଥାଏ । କମ୍ପାନିର ବ୍ୟବସାୟ ଯେତେବେଳେ ବଢ଼ୁଥାଏ ସେତେବେଳେ କର୍ମଚାରୀମାନଙ୍କୁ ପଦୋନ୍ନତି ମିଳିଥାଏ । ପ‌ଦୋନ୍ନତି ମିଳିବା ବି ସ୍ବାଭାବିକ ।

କିନ୍ତୁ ଯେତେବେଳେ କମ୍ପାନିର ବ୍ୟବସାୟ ମନ୍ଥର ‌ହୁଏ କିନ୍ତୁ କର୍ମଚାରୀମାନେ ମୋଟା ଅଙ୍କର ବେତନ ପାଉଥାଆନ୍ତି ସେତେବେଳେ ସମୟକୁ ସମୟ କର୍ମଚାରୀମାନଙ୍କୁ ଛଟେଇ କରିବାର ଆବଶ୍ୟକତା ପଡ଼ିଥାଏ । ଏହା ବାରମ୍ବାର ହୋଇଥାଏ ଏବଂ ପ୍ରତି ୫ ବର୍ଷରେ ହୋଇଥାଏ ବୋଲି ଶ୍ରୀ ପାଇ କହିଛନ୍ତି ।

କୌଣସି ବ୍ୟକ୍ତି ବିନା ଯୋଗଦାନରେ ଉଚ୍ଚ ବେତନଧାରୀ ପଦରେ ରହିପାରିବେ ନାହିଁ । ତେଣୁ ଏହି କର୍ମଚାରୀମାନଙ୍କୁ ସେମାନଙ୍କ ଯୋଗଦାନ ଦେବାକୁ ପଡ଼ିବ । ତେବେ କମ୍ପାନିର ମଧ୍ୟମ ବର୍ଗରେ କେତେ କର୍ମଚାରୀଙ୍କୁ ଛଟେଇର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ପ୍ରଶ୍ନରେ ଶ୍ରୀ ପାଇ କହିଛନ୍ତି ବର୍ଷକ ମଧ୍ୟରେ ପ୍ରାୟ ୩୦ ହଜାରରୁ ୪୦ ହଜାର । କିନ୍ତୁ ନିଯୁକ୍ତି ହରାଉଥିବା କର୍ମଚାରୀମାନଙ୍କର ଯଦି କୌଣସି ଗୋଟିଏ ବିଷୟରେ ସ୍ବତନ୍ତ୍ର ଦକ୍ଷତା ଥିବ ତା’ହେଲେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କର୍ମଚାରୀ ପୁନଃ ନିଯୁକ୍ତି ପାଇଯାଇ ପାରିବେ ବୋଲି ଶ୍ରୀ ପାଇ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଶ୍ରୀ ପାଇ ଏବେ ଆରିନ୍ କ୍ୟାପିଟାଲ ଏବଂ ମଣିପାଲ ଗ୍ଲୋବାଲ ଏଜୁକେସନ ସର୍ଭିସେସ୍‌ର ଅଧ୍ୟକ୍ଷ ଅଛନ୍ତି ।