ଗୁଜରାଟ ସରକାରରେ କନ୍ଦଳ ! ବିଭାଗ ବଂଟନ ନେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମତାନ୍ତର

19

କନକ ବ୍ୟୁରୋ : ଗୁଜୁରାଟର ନୂଆ ସରକାରରେ ସବୁ କିଛି ଠିକ ଚାଲିନାହିଁ । ନୂଆ ସରକାରରେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ସରକାର ଆରମ୍ଭ ବିଭାଗ ବଂଟନକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପମୁଖ୍ୟମନ୍ତ୍ରୀ ନୀତିିନ ପଟେଲଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଚାହୁଁଥିବା ଗୃହ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ତାଙ୍କୁ ମିଳିନାହିଁ । ସେହିପରି ରାଜସ୍ୱ ଓ ଅର୍ଥବିଭାଗ ଠାରୁ ତାଂକୁ ଦୂରେଇ ରଖାଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଥିବା ସୂଚନା ମିଳିଛି । ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ସଡକ ଏବଂ ବାସଗୃହ, ସ୍ୱାସ୍ଥ୍ୟ ଓ ପରିବାର, ଚିକିତ୍ସା ଓ ଶିକ୍ଷା ବିଭାଗର ଦାୟିତ୍ୱ ମିଳିଛି ।

ଯାହାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ମନାନ୍ତର ହୋଇଥିବା କୁହାଯାଉଛି । ଏପରିକି ଶୁକ୍ରବାରଦିନ ନୀତିିନ ପଟେଲ ଦାୟିତ୍ୱ ବି ନେଇନାହାନ୍ତି । ମିଳିଥିବା ଖବର ଅନୁସାରେ, ନିଜର ଅସନ୍ତୋଷ ବିଷୟରେ ନିତିନ ଦିଲ୍ଲୀ ନେତୃତ୍ୱକୁ ବି ଜଣାଇଛନ୍ତି । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୃତି ବି ମିଳିଛି । କିନ୍ତୁ ୩ ଦିନ ମଧ୍ୟରେ ବିଭାଗରେ ପରିବର୍ତନ ନହେଲେ ନିତିନ ସରକାରରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ଏ ନେଇ କୌଣସି ମତାମତ ଦେଇନାହିଁ । ଗୁଜରାଟ ରାଜ୍ୟ ବିଜେପି ସଭାପତି ଏଭଳି ବିବାଦ ନଥିବା ସ୍ପଷ୍ଟ କରିଛନ୍ତି ।