ପୁଅକୁ ଅପେକ୍ଷା କରି ୨ ଦିନ ପଡିରହିଲା ମା’ର ଶବ । ଓଳିଲଙ୍କ ଆନ୍ଦୋଳନ ପାଇଁ ଜାମିନରେ ଆସିପାରିଲା ନାହିଁ ପୁଅ

29

କନକ ବ୍ୟୁରୋ : ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜଣେ ପୁଅର ଅଧିକାର ଛଡ଼ାଇ ନେଇଛି। ଆଇନ ବି ଏ କ୍ଷେତ୍ରରେ ଅସହାୟ ହୋଇଯାଇଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ପୁଅକୁ ମିଳି ପାରିଲାନି ଜାମିନ। ପରିବାର ଲୋକ ଏଥିପାଇଁ ବହୁ ଓକିଲଙ୍କୁ ଅନୁେରାଧ କଲେ। ହେଲେ କେହି ରାଜି ହେଲେନି। ପୁଅକୁ ଛାଡ଼ିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନେହୁରା ହେଲେ ଘରଲୋକେ। ହେଲେ ବାଟ ଓଗାଳିଲା ଆଇନ୍। ସେପଟେ ମା’ର ଅନ୍ତିମ ସଂସ୍କାରରେ ବଡ଼ପୁଅକୁ ସାମିଲ କରିବାକୁ ୨ ଦିନ ଯାଏ ମୃତଦେହ ପକାଇ ରଖିଲେ ପରିବାର ଲୋକେ। ଆଉ ଶେଷରେ ନିରାଶ ହେବାପରେ ସାନପୁଅ ମା’କୁ ମୁଖାଗ୍ନି ଦେଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶିକାରଘାଟି ଗାଁରେ।

 

ଗ୍ରାମର ସଞ୍ଜୟ ସୋରେନ(୨୮) ଗତ ୯ ତାରିଖ ଦିନ ଅବକାରୀ ଚଢ଼ଉ ବେଳେ ବେଆଇନ ମଦ କାରବାର ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଆଉ ୧୫ ତାରିଖ ଦିନ ଅସୁସ୍ଥ ଥିବା ସଞ୍ଜୟଙ୍କ ମା’ ସୋମବାରୀ(୬୦)ଙ୍କର ବାରିପଦା ଡାକ୍ତରଖାନାରେ ମୃତ୍ୟୁ ଘଟିଲା। ଆଦିବାସୀ ସମାଜ ପରମ୍ପରା ଅନୁଯାୟୀ ବଡ଼ପୁଅ ମା’କୁ ମୁଖାଗ୍ନି ଦେବାକଥା। ତେଣୁ ପୁଅକୁ ଜାମିନରେ ଆଣିବାକୁ ଘର ଲୋକେ କୋର୍ଟକୁ ଗଲେ। ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କଥା କହି କେହି ବି ଓକିଲ ସାହାଯ୍ୟ କଲେନି। ଘର ଲୋକେ ଏ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦରଖାସ୍ତ ଦେବା ସହ ପୁଅକୁ ସଂସ୍କାରରେ ସାମିଲ ହେବା ପାଇଁ ଅନୁରୋଧ କଲେ। ହେଲେ ନିଜ ଅସହାୟତା ପ୍ରକାଶ କଲେ ଜେଲର୍। ଶେଷରେ ସାନପୁଅ ହରିଶ ମା’କୁ ମୁଖାଗ୍ନି ଦେଇଛି। ଏହି ଘଟଣାକୁ ନେଇ ମୃତକଙ୍କ ଗାଁରେ ଅସନ୍ତୋଷ ଦେଖାଦେବା ସହ ଜେଲ୍ ପ୍ରଶାସନର ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଇଛି।